Bay of Bengal Low Pressure: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ଓଡ଼ିଶାରେ ନାହିଁ ବିଶେଷ ପ୍ରଭାବ; କିଛି ଜିଲ୍ଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ମିଆଁମାର ଉପକୂଳରେ ଏହି ଲଘୁଚାପ କ୍ଷେତ୍ର ଗଠିତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ଆଣ୍ଡାମାନ ସାଗର ଓ ମିଆଁମାରର ଇରାୱାଡି ଅଞ୍ଚଳ ଆଡ଼କୁ ଗତି କରିପାରେ। ପରବର୍ତ୍ତୀ ଦୁଇ ଦିନରେ ଏହା ମିଆଁମାର-ବାଂଲାଦେଶ ଉପକୂଳ ଦେଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ବାଂଲାଦେଶ ଆଡ଼କୁ ଯାଇପାରେ। ତେବେ ଏହି ଲଘୁଚାପର ଓଡ଼ିଶା ଉପରେ ସିଧାସଳଖ ପ୍ରଭାବ ନଥିବା ଆଇଏମ୍ଡି ପକ୍ଷରୁ କୁହାଯାଇଛି।
ଅନ୍ୟପଟେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଛତିଶଗଡ଼ ଦେଇ ଉତ୍ତରପ୍ରଦେଶ ଆଡ଼କୁ ଗତି କରିଥିବା ଅବପାତ ଆହୁରି ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜର କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ। ଅକ୍ଟୋବର ୭ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।
ଗତ ୨୪ ଘଣ୍ଟାରେ କଟକ ମୁଣ୍ଡୁଳିରେ ୬୯.୬ ମିମି, ନରାଜରେ ୬୭.୬ ମିମି, ବାଲେଶ୍ୱର ରେମୁଣାରେ ୬୦ ମିମି, ମୟୂରଭଞ୍ଜ ଚାନ୍ଦୁଆରେ ୪୪ ମିମି ଏବଂ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ୪୦ ମିମି ବର୍ଷା ରେକର୍ଡ ହୋଇଛି। ବର୍ଷା ସମୟରେ ବିଜୁଳି ଓ ଘଡ଼ଘଡ଼ିରୁ ସତର୍କ ରହିବା ସହ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

