Jatani Ganesh Visarjan: ଜଟଣୀ ଗଣେଶ ଭସାଣି ଉତ୍ସବରେ ଡିଜେ ନିଷେଧ ସତ୍ତ୍ୱେ କିପରି ବାଜିଲା? ଅଘଟଣ ପରେ, ପୁଲିସ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ
ଜଟଣୀ: ଜଟଣୀର ପ୍ରସିଦ୍ଧ ଗଣେଶ ଭସାଣି ଉତ୍ସବରେ ଘଟିଥିବା ଅଘଟଣକୁ ନେଇ ଏବେ ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଭସାଣି ଶୋଭାଯାତ୍ରାରେ ଡିଜେ ବଜାଇବାକୁ ପୂର୍ବରୁ ପୁଲିସ ପକ୍ଷରୁ ବାରଣ କରାଯାଇଥିଲା। ଏକାଧିକ ପ୍ରସ୍ତୁତି ବୈଠକରେ ପୂଜା କମିଟିଗୁଡ଼ିକୁ ଡିଜେ ନିଷେଧ ନେଇ ସୂଚନା ଦିଆଯିବା ସହ ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦିଆଯାଇଥିଲା। ଏହା ସତ୍ତ୍ୱେ ଶନିବାର ରାତିରେ ଭସାଣି ଶୋଭାଯାତ୍ରାରେ ଉଚ୍ଚଶବ୍ଦରେ ଡିଜେ ବାଜିଥିବାରୁ ପୁଲିସର ନିରୀକ୍ଷଣ ଓ ନିୟମ ପାଳନକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ଭସାଣି ସମୟରେ ଘଟିଥିବା ଅଘଟଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଉଚ୍ଚଶବ୍ଦରେ ଡିଜେ ବାଜିବା ଏବଂ ତାହାର କମ୍ପନ ଯୋଗୁଁ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଏକ ଘରର ଦୁର୍ବଳ ତାଜା ଓ କାନିସି ଭୁଶୁଡ଼ି ପଡ଼ିଥିଲା। ଏହା ତଳେ ଲୋକେ ଚାପି ହୋଇ ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ଯଦି ଡିଜେକୁ ଅନୁମତି ଦିଆଯାଇଥାଏ, ତେବେ ନିର୍ଦ୍ଧାରିତ ଶବ୍ଦସୀମା ମଧ୍ୟରେ ଏହା ବଜାଇବାର ନିୟମ ରହିଥିବା ବେଳେ, ଭସାଣିରେ ଅନେକ ସ୍ଥାନରେ ଏହାର ଉଲ୍ଲଂଘନ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଏହି ଅଘଟଣରେ ମୃତ ବିଶ୍ୱଜିତ୍ ବାରିକ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ଥିଲେ। ସେ ଜଣେ ବାଇକ୍ ମେକାନିକ୍ ଭାବେ କାମ କରୁଥିଲେ। ତାଙ୍କ ମୃତ୍ୟୁ ପରେ ବୃଦ୍ଧ ବାପା, ମା’ ଓ ଭଉଣୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇ ଜଟଣୀ ନିକଟସ୍ଥ ହରିରାଜପୁର ଗାଁରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଘଟଣାର ପ୍ରକୃତ କାରଣ ଏବଂ ନିୟମ ଉଲ୍ଲଂଘନ ହୋଇଥିଲେ ଦାୟୀ କିଏ, ତାହା ନେଇ ତଦନ୍ତ ଓ ପ୍ରଶାସନିକ ପଦକ୍ଷେପ ଉପରେ ଏବେ ନଜର ରହିଛି।

