ସ୍ୱର୍ଣ୍ଣ ବିଜୟିନୀ ସୁନୀଲତା ଟପ୍ପୋଙ୍କୁ ଝାରସୁଗୁଡ଼ା ଭିଏସଏସ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା
ଝାରସୁଗୁଡ଼ା, ୬/୧୦ (ଓଡ଼ିଶା ନ୍ୟୂଜ୍): ଭାରତୀୟ ମହିଳା ହକି ଦଳର ପ୍ରମୁଖ ଖେଳାଳି ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରି ଦେଶ ଓ ଓଡ଼ିଶା ପାଇଁ ଗୌରବ ଆଣିଥିବା ସୁନୀଲତା ଟପ୍ପୋଙ୍କୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ପରିସରରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଛି।
ସ୍ୱର୍ଣ୍ଣ ପଦକ ଜିତି ନିଜ ମାଟିକୁ ଫେରିବା ଅବସରରେ ବିମାନ ବନ୍ଦରର ଅଧିକାରୀ ଓ କର୍ମଚାରୀ ମାନେ ସୁନୀଲତାଙ୍କୁ ଉଚ୍ଛ୍ୱସିତ ଭବ୍ୟ ସ୍ୱାଗତ କରିଥିଲେ। ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ତରଫରୁ ବିମାନ ବନ୍ଦର ପ୍ରବନ୍ଧକ ପ୍ରତାପ କୁମାର ନାମ୍ବିଆର ସୁନୀଲତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ।
ଏହି ଅବସରରେ ଶ୍ରୀ ନାମ୍ବିଆର କହିଥିଲେ ଯେ, ସୁନୀଲତାଙ୍କ ଏହି ସଫଳତା ସମଗ୍ର ଜିଲ୍ଲା ପାଇଁ ଗୌରବର ବିଷୟ। ତାଙ୍କର ସଫଳତା ଅଞ୍ଚଳର ଉଦୀୟମାନ ଯୁବ କ୍ରୀଡ଼ାବିତ୍ ମାନଙ୍କୁ ନୂଆ ପ୍ରେରଣା ଯୋଗାଇବ। ସେ ସୁନୀଲତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଆଗାମୀ କ୍ରୀଡ଼ା ଜୀବନର ସଫଳତା କାମନା କରିଥିଲେ। ଏଥିପାଇଁ ସୁନୀଲତା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇ ଥିଲେ।

