ଜିଲ୍ଲାସ୍ତରୀୟ ଖୋ-ଖୋ ଓ କବାଡ଼ି ପ୍ରତିଯୋଗିତା ଉଦ୍ଯାପିତ।
କଳାହାଣ୍ଡି,୧୦/୦୧
(କ୍ରୀଡ଼ା ମାଧ୍ୟମରେ ଶୃଙ୍ଖଳା, ଏକତା ଓ ନେତୃତ୍ୱର ବାର୍ତ୍ତା)
କଳାହାଣ୍ଡି ଜିଲ୍ଲାର ମୁଖିଗୁଡ଼ାସ୍ଥିତ ଅପର ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପରିସରରେ ଅକ୍ଟୋବର ୯ ଓ ୧୦ ଦୁଇ ଦିନ ଧରି ଜିଲ୍ଲାସ୍ତରୀୟ ଖୋ-ଖୋ ଓ କବାଡ଼ି ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର କ୍ରୀଡ଼ା ଦକ୍ଷତା, ଶାରୀରିକ ସାମର୍ଥ୍ୟ, ଦଳଗତ ସମନ୍ୱୟ ଓ ଖେଳୁଆଡ଼ ମନୋଭାବର ପରିଚୟ ଦେଇଥିଲେ।
ଉଦ୍ଘାଟନୀ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀ ସଭାପତିତ୍ୱ କରିଥିବାବେଳେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିଜୟ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ସଭ୍ୟ ଡକ୍ଟର ଶିବପ୍ରସାଦ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତି ସହ ଶାରୀରିକ ସୁସ୍ଥତା, ମାନସିକ ଦୃଢ଼ତା ଓ ଚରିତ୍ର ଗଠନରେ କ୍ରୀଡ଼ାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥିଭାବେ ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି, କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା ,ଜୁନାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପନ କୁମାର ମାଝୀ, କଳାହାଣ୍ଡି ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ରୂପସିଂ ରାଉତ, ଜୟପାଟଣା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକ୍ରମ ସିଂ ମାଝୀ ଏବଂ ଆୟୋଜକ ପ୍ରଧାନ ଶିକ୍ଷକ ସୌମେନ୍ଦ୍ର ସିଂହାର ଉପସ୍ଥିତ ରହି କ୍ରୀଡ଼ା ଉତ୍ସବକୁ ଗରିମାମଣ୍ଡିତ କରିଥିଲେ।
ଜୟପାଟଣା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ କେଶବ ଚନ୍ଦ୍ର ହେମ୍ରମ, ସରୋଜ ଠାକୁର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମକୁ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଲଳିତ କୁମାର ନାଏକ ମଞ୍ଚ ପରିଚାଳନା କରିଥିବାବେଳେ ଅନ୍ୟତମ ସହ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

