ସିନ୍ଦୁରପଙ୍କରେ ବିଜୟା ଦଶମୀରେ ରାବଣ ଦରବାର; ମହାରାଜ ରାବଣ ଭୂମିକାରେ ଅଭିନୟ କରିବେ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡା
ଜମନକିରା : ମା’ ଦୁର୍ଗାଙ୍କ ପୂଜୋତ୍ସବ ଅବସରରେ ସିନ୍ଦୁରପଙ୍କଠାରେ ଆସନ୍ତା ବିଜୟା ଦଶମୀ, ବୁଧବାର ୨୧ ତାରିଖରେ ଏକ ଦିବସୀୟ ‘ରାବଣ ଦରବାର’ ଆୟୋଜନ କରାଯାଇଛି। ସାର୍ବଜନୀନ ଦୁର୍ଗା ପୂଜା କମିଟି, ସିନ୍ଦୁରପଙ୍କ ପକ୍ଷରୁ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଛି।
ଏହି ରାବଣ ଦରବାରରେ ମହାରାଜ ରାବଣ ଭୂମିକାରେ ଅବତୀର୍ଣ୍ଣ ହେବା ପାଇଁ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡାଙ୍କୁ କମିଟି ପକ୍ଷରୁ ନିମନ୍ତ୍ରଣ କରାଯିବା ସହ ବିଧିବଦ୍ଧ ଭାବେ ବରଣ କରାଯାଇଛି। ରାବଣ ଦରବାର ମାଧ୍ୟମରେ ପୌରାଣିକ ଚରିତ୍ର ଓ ରାମାୟଣର କଥାବସ୍ତୁକୁ ଜନମାନସରେ ଉପସ୍ଥାପନ କରିବା ସହ ଦର୍ଶକଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ କରିବା ଏହି ଆୟୋଜନର ମୁଖ୍ୟ ଆକର୍ଷଣ ରହିବ।ବରଣ କାର୍ଯ୍ୟକ୍ରମରେ କମିଟିର ଅଧ୍ୟକ୍ଷ ଚନ୍ଦ୍ରଶେଖର ପଣ୍ଡା, ଉପାଧ୍ୟକ୍ଷ ଲକ୍ଷ୍ମୀନାରାୟଣ ବେହେରାଙ୍କ ସମେତ ବରିଷ୍ଠ ସଦସ୍ୟ ଶ୍ରବଣ ଡାଲମିଆ, ଆନନ୍ଦ ଦାଶ, ଗୋବର୍ଦ୍ଧନ ବାରିକ, ବିକାଶ ସାହୁ, କୁମୁଦ ସାହୁ, ରାଜେନ୍ଦ୍ର ଧର, ବିଦ୍ୟାଧର ପଣ୍ଡା, ଦେବାଶିଷ ନାଥ, କପିଳାସ ସାହୁ, ଦେବଦତ୍ତ ପ୍ରଧାନ ଓ ପ୍ରଦ୍ୟୋତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।ସାର୍ବଜନୀନ ଦୁର୍ଗା ପୂଜା କମିଟିର ଏହି ଆୟୋଜନ ବିଜୟା ଦଶମୀର ଉତ୍ସବମୁଖର ପରିବେଶକୁ ଆହୁରି ଆକର୍ଷଣୀୟ କରିବା ସହ ସ୍ଥାନୀୟ କଳା, ସଂସ୍କୃତି ଓ ପୌରାଣିକ ପରମ୍ପରାର ପ୍ରଚାରରେ ସହାୟକ ହେବ ବୋଲି ଆଶା କରାଯାଉଛି।

