Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବସୁଧା ଯୋଜନାର ବିକଳ ଚିତ୍ର: ତିନୋଟି ପଏଣ୍ଟରୁ ଦୁଇଟି ଅଚଳ, ପାଣି ମୁନ୍ଦାଏ ପାଇଁ ଗରିଆବାହାଲରେ ମହିଳାଙ୍କ ଲମ୍ବା ଲାଇନ

ଜମନକିରା : ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କାର ‘ବସୁଧା ଯୋଜନା’ କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ପ୍ରଶାସନିକ ଉଦାସୀନତା ଓ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ସ୍ଥାନରେ ଏହି ଯୋଜନା ବାଟବଣା ହୋଇପଡ଼ିଛି। ଏଭଳି ଏକ ସଙ୍ଗିନ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଗରିଆବାହାଲ ଗ୍ରାମରେ। ଗ୍ରାମରେ ସରକାରୀ ଜଳ ପ୍ରକଳ୍ପ ଥାଇ ମଧ୍ୟ ପାନୀୟ ଜଳ ମୁନ୍ଦାଏ ପାଇଁ ଶତାଧିକ ପରିବାର ପ୍ରତିଦିନ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଗରିଆବାହାଲ ଗ୍ରାମରେ ଶହେରୁ ଅଧିକ ପରିବାର ବସବାସ କରୁଥିବା ବେଳେ ଲୋକଙ୍କ ସୁବିଧା ପାଇଁ ତିନୋଟି ପାନୀୟ ଜଳ ଯୋଗାଣ ପଏଣ୍ଟ ନିର୍ମାଣ କରାଯାଇଥିଲା। ହେଲେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ଦିନ ହେଲା ଏହି ତିନୋଟି ପଏଣ୍ଟ ମଧ୍ୟରୁ ଦୁଇଟି ପଏଣ୍ଟ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିରହିଛି। କେବଳ ଗ୍ରାମର ତଳମୁଣ୍ଡରେ ଥିବା ଗୋଟିଏ ମାତ୍ର ପଏଣ୍ଟରୁ ପାଣି ମିଳୁଛି। ଫଳରେ ଗ୍ରାମର ଉପରମୁଣ୍ଡରେ ବସବାସ କରୁଥିବା ପରିବାରଗୁଡ଼ିକ ପିଇବା ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି।
ଅନ୍ୟପକ୍ଷରେ, ତଳମୁଣ୍ଡରେ ଥିବା କେତେକ ଉପଭୋକ୍ତା ବେଆଇନ ଭାବେ ମଟର ଲଗାଇ ପାଣି ଟାଣି ନେଉଥିବାରୁ ପାଇପଲାଇନରେ ଚାପ ହ୍ରାସ ପାଉଛି ଏବଂ ଉପରମୁଣ୍ଡକୁ ପାଣି ଚଢ଼ିପାରୁ ନାହିଁ। ଏହାର ସିଧାସଳଖ ପ୍ରଭାବ ଗ୍ରାମର ମହିଳାମାନଙ୍କ ଉପରେ ପଡ଼ୁଛି। ଏକମାତ୍ର କାର୍ଯ୍ୟକ୍ଷମ ପଏଣ୍ଟ ନିକଟରେ ସକାଳୁ ସଞ୍ଜ ଯାଏଁ ଭିଡ଼ ଜମୁଥିବା ବେଳେ ଧାଡ଼ି ବାନ୍ଧି ବାଲ୍ତି, ମାଠିଆ, ଡେକଚି ଓ ପ୍ଲାଷ୍ଟିକ ବାଲ୍ତି ଧରି ମହିଳାମାନେ ଘଣ୍ଟା ଘଣ୍ଟା ଧରି ଖରାରେ ଅପେକ୍ଷା କରୁଛନ୍ତି।
ଏହି ଗମ୍ଭୀର ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀ ଓ ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ। ତେବେ ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ମାଧବୀଲତା ବରିହା କହିଛନ୍ତି ଯେ, ଗ୍ରାମରେ ତିନୋଟି ଯାକ ପଏଣ୍ଟରେ ଯେପରି ନିୟମିତ ଓ ସମାନ ଭାବେ ପାଣି ପହଞ୍ଚିପାରିବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ଖୁବ୍‌ଶୀଘ୍ର ନିଆଯିବ। ଅନଧିକୃତ ମଟର ବ୍ୟବହାର ଉପରେ କଟକଣା ଜାରି କରିବା ସହ ତୁରନ୍ତ ସମସ୍ତ ପଏଣ୍ଟକୁ ସଚଳ କରି ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ଗରିଆବାହାଲବାସୀ ଦୃଢ଼ ଦାବି ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories