Rama Devi Election: ରମାଦେବୀରେ ଛାତ୍ର ବିଜେଡିର ଦବଦବା, ସବୁ ପଦରେ ବାଜିମାତ୍
ଭୁବନେଶ୍ୱର: ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବାଜିମାତ୍ କରିଛି ବିଜୁ ଛାତ୍ର ଜନତା ଦଳ (BCJD)। ସମସ୍ତ ପଦରେ BCJD ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ପରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା। ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ BCJD ଶିବିରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ସମର୍ଥକମାନେ ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁଙ୍କୁ କାନ୍ଧରେ ବସାଇ ଉତ୍ସବ ପାଳନ କରିଥିଲେ।
ନିର୍ବାଚନରେ BCJD ସଭାପତି ପ୍ରାର୍ଥୀ ସୋନାଲି ବେହେରା, ଉପସଭାପତି ପ୍ରାର୍ଥୀ ସାଇ ଅର୍ପିତା ମହାପାତ୍ର, ସାଧାରଣ ସମ୍ପାଦକ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ବିଶ୍ୱାଳ ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ପ୍ରାର୍ଥୀ ସୁଦେଷ୍ଣା ଖୁଣ୍ଟିଆ ବିଜୟୀ ହୋଇଛନ୍ତି। ସମସ୍ତ ପଦରେ ଦଳର ପ୍ରାର୍ଥୀ ଜିତିବା ପରେ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଥିଲା।
ବିଜୟ ପରେ ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନବୀନ ବାବୁଙ୍କ ଜନ୍ମଦିନରେ ରମାଦେବୀର ଏହି ବିଜୟ ଏକ ଉପହାର। ଏହି ଫଳାଫଳକୁ ନେଇ BCJD ଶିବିରରେ ଖୁସିର ମାହୋଲ ରହିଥିବା ବେଳେ ରମାଦେବୀ ଛାତ୍ର ସଂସଦ ନିର୍ବାଚନରେ ଦଳର ଏହି ସଫଳତା ଚର୍ଚ୍ଚାର ବିଷୟ ପାଲଟିଛି।

