Maa Biraja Temple: ଷଷ୍ଠୀରେ ମା’ ବିରଜାଙ୍କ ପୀଠରେ ଭକ୍ତଙ୍କ ସମାଗମ, ନବରାତ୍ରରେ ମା’ଙ୍କ ରଥଯାତ୍ରାକୁ ନେଇ ଉତ୍ସବମୁଖର ଯାଜପୁର
ଯାଜପୁର: ନବରାତ୍ରର ଷଷ୍ଠୀ ଅବସରରେ ଯାଜପୁରର ପ୍ରସିଦ୍ଧ ମା’ ବିରଜାଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମା’ଙ୍କ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଥିବା ବେଳେ ପୂଜାର୍ଚ୍ଚନା ଓ ଧାର୍ମିକ ରୀତିନୀତି ଯୋଗୁଁ ପରିବେଶ ଭକ୍ତିମୟ ହୋଇଛି। ଭାରତର ପ୍ରମୁଖ ଶକ୍ତିପୀଠ ମଧ୍ୟରେ ଗଣାଯାଉଥିବା ଏହି ପୀଠରେ ନବରାତ୍ର ଅବସରରେ ପ୍ରତିଦିନ ବିଶେଷ ପୂଜା ଅନୁଷ୍ଠିତ ହେଉଛି।
ମହାପଞ୍ଚମୀ ଅବସରରେ ଗତ ରାତିରେ ମା’ ବିରଜାଙ୍କ ସୁନାବେଶ ସହ ସ୍ୱତନ୍ତ୍ର ପୂଜା କରାଯାଇଥିଲା। ମନ୍ଦିରରେ ଷୋଡ଼ଶ ଉପଚାର ପୂଜା ଜାରି ରହିଥିବା ବେଳେ ପ୍ରତିପଦାଠାରୁ ମା’ଙ୍କ ନଅଦିନିଆ ରଥଯାତ୍ରା ଆରମ୍ଭ ହୋଇଛି। ନବରାତ୍ରର ଏହି ପବିତ୍ର ସମୟରେ ମା’ଙ୍କ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ମଧ୍ୟ ଶ୍ରଦ୍ଧାଳୁ ଆସୁଛନ୍ତି।
କାର୍ଯ୍ୟସୂଚୀ ଅନୁସାରେ, ଅପରାହ୍ନରେ ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୂଢ଼ କରାଯିବା ପରେ ରଥଟଣା ହେବ। ନଅଦିନିଆ ପୂଜା ସମୟରେ ମା’ଙ୍କ ମୁଖ ଦର୍ଶନ କଲେ ପୁଣ୍ୟ ମିଳେ ବୋଲି ଭକ୍ତଙ୍କ ମଧ୍ୟରେ ବିଶ୍ୱାସ ରହିଛି। ଅନ୍ୟପଟେ, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।

