Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Tibet Earthquake: ତିବ୍ବତରେ ଶକ୍ତିଶାଳୀ ଭୂକମ୍ପ! ୧୬ ମୃତ ଓ ୬୫ ଆହତ; ୩୩୦ରୁ ଅଧିକ ଘର କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ: ଚୀନ୍‌ର ତିବ୍ବତ ସ୍ୱୟଂଶାସିତ ଅଞ୍ଚଳର ନାଗକୁ ସହର ଅନ୍ତର୍ଗତ ବାକେନ୍‌ କାଉଣ୍ଟିରେ ଗୁରୁବାର ରାତିରେ ୭ ତୀବ୍ରତାର ଭୂମିକମ୍ପ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଓ ୬୫ ଜଣ ଆହତ ହୋଇଛନ୍ତି। ରାତି ପ୍ରାୟ ୧୦ଟା ୩୩ ମିନିଟ୍‌ରେ ହୋଇଥିବା ଏହି ଭୂମିକମ୍ପରେ ୩୩୦ରୁ ଅଧିକ ଘର ଭାଙ୍ଗିଯାଇଛି କିମ୍ବା କ୍ଷତିଗ୍ରସ୍ତ ହୋଇଛି। ଆହତଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ଥିବା ନାଗକୁ ସହରର ଭୂମିକମ୍ପ ରିଲିଫ୍‌ ମୁଖ୍ୟାଳୟ ସୂଚନା ଦେଇଛି। ଘଟଣା ପରେ ଶୁକ୍ରବାର ଅଞ୍ଚଳରେ ଜରୁରୀକାଳୀନ ରିଲିଫ୍‌ ବ୍ୟବସ୍ଥା ଲାଗୁ କରାଯାଇଛି।

ଭୂମିକମ୍ପ ପରେ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି ରହିଛି। ଶୁକ୍ରବାର ସକାଳ ସୁଦ୍ଧା ସେଠାରେ ୧,୦୦୦ ସେଟ୍‌ ଅସ୍ଥାୟୀ ଘର, ୩,୨୦୦ରୁ ଅଧିକ ଟେଣ୍ଟ୍‌ ଓ ୨,୮୦୦ରୁ ଅଧିକ ଫୋଲ୍ଡିଂ ବେଡ୍‌ ପହଞ୍ଚିଛି। ଏହା ସହ କମ୍ବଳ, ଚୁଲି ଓ ପୋଷାକ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଉଛି। ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ନିଖୋଜ ଲୋକଙ୍କୁ ଖୋଜିବା ଏବଂ ଆହତଙ୍କୁ ଶୀଘ୍ର ଚିକିତ୍ସା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭୂମିକମ୍ପରେ ମୃତାହତଙ୍କ ସଂଖ୍ୟା କମାଇବା ସହ ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ଦେବା ଉପରେ ଗୁରୁତ୍ୱ ଦିଆଯାଇଛି।

ତିବ୍ବତ ଅଞ୍ଚଳ ଭୂମିକମ୍ପ ପ୍ରବଣ ହୋଇଥିବାରୁ ଏଠାରେ ଶକ୍ତିଶାଳୀ ଭୂମିକମ୍ପର ଆଶଙ୍କା ରହିଥାଏ। ଭାରତୀୟ ଓ ୟୁରେସିଆନ୍‌ ଟେକ୍ଟୋନିକ୍‌ ପ୍ଲେଟ୍‌ ପରସ୍ପର ଆଡ଼କୁ ଗତି କରି ସଂଘର୍ଷ କରୁଥିବାରୁ ଏହି ଅଞ୍ଚଳରେ ଭୂମିକମ୍ପ ହୋଇଥାଏ। ବର୍ତ୍ତମାନ ଭୂମିକମ୍ପରେ ହୋଇଥିବା କ୍ଷୟକ୍ଷତିର ଆକଳନ ଚାଲିଥିବା ବେଳେ ଉଦ୍ଧାରକାରୀ ଦଳ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇବାରେ ଲାଗିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories