Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Meesho Q2 Results: ୩ ମାସରେ ୮୧.୯ କୋଟି ଅର୍ଡର, ଆୟ ୪,୧୩୧ କୋଟି ଟଙ୍କା; କ୍ଷତି ୬୮% ହ୍ରାସ

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ‘Meesho’ ୨୦୨୬-୨୭ ଆର୍ଥିକ ବର୍ଷର ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସିକରେ ୪,୧୩୧.୬ କୋଟି ଟଙ୍କାର ଅପରେସନ୍‌ ଆୟ ରେକର୍ଡ କରିଛି। ଗତବର୍ଷ ସମାନ ଅବଧିରେ ଏହା ୩,୦୭୩.୭ କୋଟି ଟଙ୍କା ଥିଲା। ଅର୍ଥାତ୍‌ ବର୍ଷକ ମଧ୍ୟରେ କମ୍ପାନୀର ଆୟ ୩୪ ପ୍ରତିଶତ ବଢ଼ିଛି। ଏହି ତ୍ରୈମାସିକରେ କମ୍ପାନୀର ନିଟ୍‌ କ୍ଷତି ୬୮ ପ୍ରତିଶତ କମି ୧୩୨.୪ କୋଟି ଟଙ୍କା ହୋଇଛି। ଗତବର୍ଷ ସମାନ ତ୍ରୈମାସିକରେ କ୍ଷତି ୪୧୧.୪ କୋଟି ଟଙ୍କା ଥିଲା। ତେବେ ଜୁନ୍‌ ତ୍ରୈମାସିକର ୧୩୨.୮ କୋଟି ଟଙ୍କା କ୍ଷତି ତୁଳନାରେ ଏଥର ଏଥିରେ ବିଶେଷ ପରିବର୍ତ୍ତନ ହୋଇନାହିଁ।

ସେପ୍ଟେମ୍ବର ତ୍ରୈମାସିକରେ Meesho ପ୍ଲାଟଫର୍ମରେ ଅର୍ଡର ସଂଖ୍ୟା ୧୭ ପ୍ରତିଶତ ବଢ଼ି ୮୧.୯ କୋଟିରେ ପହଞ୍ଚିଛି। ଏହି ସମୟରେ ନେଟ୍‌ ମର୍ଚ୍ଚାଣ୍ଡାଇଜ୍‌ ଭାଲ୍ୟୁ (NMV) ୨୩ ପ୍ରତିଶତ ବୃଦ୍ଧି ପାଇ ୧୨,୯୧୧ କୋଟି ଟଙ୍କା ହୋଇଛି। କମ୍ପାନୀର ବାର୍ଷିକ ସକ୍ରିୟ ଗ୍ରାହକ ସଂଖ୍ୟା ୨୧ ପ୍ରତିଶତ ବଢ଼ି ୨୮.୪ କୋଟି ହୋଇଥିବା ବେଳେ ବାର୍ଷିକ ସକ୍ରିୟ ବିକ୍ରେତାଙ୍କ ସଂଖ୍ୟା ୬୦ ପ୍ରତିଶତ ବଢ଼ି ୧୧.୩ ଲକ୍ଷରେ ପହଞ୍ଚିଛି। ଅନ୍ୟପଟେ, ମାର୍କେଟ୍‌ପ୍ଲେସ୍‌ର କଣ୍ଟ୍ରିବ୍ୟୁସନ୍‌ ମାର୍ଜିନ୍‌ NMVର ୪.୬ ପ୍ରତିଶତରୁ ବଢ଼ି ୬ ପ୍ରତିଶତ ହୋଇଛି। ଲଜିଷ୍ଟିକ୍ସ ଖର୍ଚ୍ଚରେ ଦକ୍ଷତା ଓ ବିଜ୍ଞାପନରୁ ଆୟ ବଢ଼ିବା ଏହାର କାରଣ ବୋଲି କମ୍ପାନୀ କହିଛି।

କମ୍ପାନୀ ଅନୁସାରେ, ଗତବର୍ଷ ସେପ୍ଟେମ୍ବର ତ୍ରୈମାସିକରେ ହୋଇଥିବା Mega Blockbuster Sale ଚଳିତ ବର୍ଷ ଡିସେମ୍ବର ତ୍ରୈମାସିକକୁ ଘୁଞ୍ଚିଛି। ତେଣୁ ଚଳିତ ବର୍ଷର ପାର୍ବଣ ବଜାରର କିଛି ଚାହିଦା ଆଗାମୀ ତ୍ରୈମାସିକର ଫଳାଫଳରେ ପ୍ରତିଫଳିତ ହେବ। ଗ୍ରାହକ, ବିକ୍ରେତା, ପ୍ରଯୁକ୍ତି ଓ ପ୍ଲାଟଫର୍ମର ବିକାଶ ପାଇଁ ଖର୍ଚ୍ଚ ଜାରି ରହିବ ବୋଲି Meesho କହିଛି। ଏହି ତ୍ରୈମାସିକରେ କମ୍ପାନୀର ଫ୍ରି କ୍ୟାଶ୍‌ ଫ୍ଲୋ ୩୪୫ କୋଟି ଟଙ୍କା ଥିବା ବେଳେ ଗତ ୧୨ ମାସର ଫ୍ରି କ୍ୟାଶ୍‌ ଫ୍ଲୋ ୫୬୫ କୋଟି ଟଙ୍କା ନକାରାତ୍ମକ ରହିଛି। କମ୍ପାନୀ ପାଖରେ ୭,୦୪୮ କୋଟି ଟଙ୍କାର ନଗଦ ଅର୍ଥ ରହିଛି। ଆୟ ଓ ଅର୍ଡର ବଢ଼ିବା ସହ କ୍ଷତି କମିଥିଲେ ମଧ୍ୟ ଲାଭଜନକ ସ୍ଥିତିରେ ପହଞ୍ଚିବା ପାଇଁ ଖର୍ଚ୍ଚ ନିୟନ୍ତ୍ରଣ କମ୍ପାନୀ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories