Sambalpur University Professor Attack: ସମ୍ବଲପୁର ବିଶ୍ୱବିଦ୍ୟାଳୟର କେମେଷ୍ଟ୍ରୀ ବିଭାଗ ପ୍ରଫେସରଙ୍କୁ ଛୁରାମାଡ଼, ପୂର୍ବତନ କର୍ମଚାରୀ ଅଟକ
ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଏକ ଆକ୍ରମଣ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଶ୍ୱବିଦ୍ୟାଳୟର କେମେଷ୍ଟ୍ରୀ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ସତ୍ୟ ନାରାୟଣ ସାହୁଙ୍କୁ ଜଣେ ପୂର୍ବତନ କର୍ମଚାରୀ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ସେ ଆହତ ହୋଇଥିବା ବେଳେ ତାଙ୍କୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ଚ (VIMSAR)ରେ ଚିକିତ୍ସା କରାଯାଉଛି।
ପ୍ରାଥମିକ ସୂଚନା ଅନୁସାରେ, ବିଶ୍ୱବିଦ୍ୟାଳୟରେ ପୂର୍ବରୁ ସଫେଇ କର୍ମଚାରୀ ଭାବେ କାମ କରୁଥିବା ଜଣେ ବ୍ୟକ୍ତି କେମେଷ୍ଟ୍ରୀ ବିଭାଗକୁ ଆସି ପ୍ରଫେସର ସାହୁଙ୍କୁ ଆକ୍ରମଣ କରିଥିଲେ। ତେବେ ଆକ୍ରମଣ ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ଖବର ପାଇ ବୁର୍ଲା ଥାନା ପୋଲିସ ବିଶ୍ୱବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏହି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା ପାଇଁ ଅଟକ ରଖିଥିବା ସୂଚନା ମିଳିଛି । ତେବେ ପ୍ରଫେସରଙ୍କ ସହ ଅଭିଯୁକ୍ତଙ୍କର ପୂର୍ବରୁ କୌଣସି ବିବାଦ ଥିଲା କି ନାହିଁ ଏବଂ ଆକ୍ରମଣର ପ୍ରକୃତ କାରଣ କ’ଣ, ସେନେଇ ପୋଲିସ ଯାଞ୍ଚ କରୁଛି।

