Bay of Bengal Low Pressure: ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ଆନ୍ଧ୍ର ଆଡ଼କୁ ମୁହାଁଇବା ସମ୍ଭାବନା; ଓଡ଼ିଶାରେ ବର୍ଷା ଆଶଙ୍କା
ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଶ୍ରୀବିଜୟପୁରମ୍ ବା ପୋର୍ଟ ବ୍ଲେୟାରଠାରୁ ପ୍ରାୟ ୧୫୦ କିମି ଦୂରରେ ରହିଛି। ଅକ୍ଟୋବର ୩୧ ସୁଦ୍ଧା ଏହା ଅବପାତରେ ପରିଣତ ହୋଇପାରେ। ପରେ ନଭେମ୍ବର ୧ରୁ ୩ ତାରିଖ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଯାଇପାରେ ବୋଲି ପାଣିପାଗ ବିଶାରଦ ସୁରେନ୍ଦ୍ର ନାଥ ପଶୁପାଳକ ଆକଳନ କରିଛନ୍ତି। ଏହା ଗଭୀର ଅବପାତ କିମ୍ବା ସାମାନ୍ୟ ତୀବ୍ରତାର ବାତ୍ୟାରେ ପରିଣତ ହୋଇପାରେ। ତେବେ ଏହାର ନିର୍ଦ୍ଦିଷ୍ଟ ଗତିପଥ ଓ ସ୍ଥଳଭାଗ ଅତିକ୍ରମ ସ୍ଥାନ ଏଯାଏଁ ସ୍ପଷ୍ଟ ହୋଇନାହିଁ।
ପାଣିପାଗ ବିଶାରଦଙ୍କ ଆକଳନ ଅନୁସାରେ, ଏହି ପ୍ରଣାଳୀ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଯିବାର ସମ୍ଭାବନା ଅଧିକ ରହିଛି। ଉତ୍ତର ତାମିଲନାଡୁ ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନାକୁ ମଧ୍ୟ ବାଦ୍ ଦିଆଯାଇନାହିଁ। ବର୍ତ୍ତମାନର ପବନ ପ୍ରବାହ ଅନୁସାରେ ଏହା ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ଆଡ଼କୁ ମୋଡ଼ ନେବାର ସମ୍ଭାବନା କମ୍ ରହିଛି। ତଥାପି ଏହାର ପ୍ରଭାବରେ ନଭେମ୍ବର ୧ରୁ ୩ ତାରିଖ ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଦକ୍ଷିଣ ଓଡ଼ିଶା ଉପକୂଳ ସଂଲଗ୍ନ ସମୁଦ୍ରରେ ଘଣ୍ଟାପ୍ରତି ୩୫ରୁ ୪୫ କିମି ବେଗରେ ପବନ ବହିପାରେ। ଝଟକା ପବନର ବେଗ ୫୫ କିମି ପର୍ଯ୍ୟନ୍ତ ରହିପାରେ। ତେଣୁ ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ପ୍ରଭାବିତ ସମୁଦ୍ର ଅଞ୍ଚଳକୁ ନଯିବାକୁ ସତର୍କ କରାଯାଇଛି।
ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ନଭେମ୍ବର ୧ରୁ ୨ ତାରିଖ ମଧ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ଖୋର୍ଦ୍ଧା ଓ କଟକରେ ମେଘୁଆ ପାଗ ସହ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହୋଇପାରେ। ନିକଟରେ ଗଞ୍ଜାମର ପାତ୍ରପୁରରେ ୫୪୬ ମିମି ବର୍ଷା ରେକର୍ଡ ହୋଇଥିବାରୁ ଆଗାମୀ ବର୍ଷା ଚାଷଜମିରେ ଜମିଥିବା ପାଣି ସମସ୍ୟାକୁ ବଢ଼ାଇପାରେ। ବିଶେଷକରି ପାଚିଲା ଧାନ ଫସଲରୁ ଜଳ ନିଷ୍କାସନ ପାଇଁ ଚାଷୀମାନେ ସତର୍କ ରହିବାକୁ ପାଣିପାଗ ବିଶାରଦ ପରାମର୍ଶ ଦେଇଛନ୍ତି।

