Cyclone Arnab Landslide: କନ୍ଧମାଳରେ ଭୂସ୍ଖଳନ, ୭ ମାସର ଶିଶୁ ସମେତ ଗୋଟିଏ ପରିବାରର ୩ ମୃତ, ମୃତକଙ୍କ ପିଛା ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା
କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ବଡ଼ କ୍ଷୟକ୍ଷତି ହୋଇଛି। ରାଇକିଆ ବ୍ଲକ୍ର ମାଣିକେଶ୍ୱରୀ ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗେସି ଗାଁରେ ପାହାଡ଼ରୁ ମାଟି ଅତଡ଼ା ଖସି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୭ ମାସର ଶିଶୁ ଥିବା ସୂଚନା ମିଳିଛି। ଏହି ଭୂସ୍ଖଳନରେ ଗାଁର ପ୍ରାୟ ୧୫ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ମଧ୍ୟ କୁହାଯାଇଛି।
ମୃତକମାନେ ହେଲେ ୩୫ ବର୍ଷୀୟ ଅଚ୍ୟୁତାନନ୍ଦ ପ୍ରଧାନ, ତାଙ୍କ ୨୮ ବର୍ଷୀୟ ପତ୍ନୀ ମାନସୀ ନନ୍ଦ ପ୍ରଧାନ ଏବଂ ସେମାନଙ୍କ ୭ ମାସର ଶିଶୁ। ମାଟି ତଳେ ପୋତି ହୋଇ ରହିଥିବା ଦମ୍ପତିଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ଘଟଣାସ୍ଥଳରେ ମନ୍ତ୍ରୀ ରବି ନାରାୟଣ ନାୟକ ପହଞ୍ଚି କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଓ ଏସ୍ପି ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଏହି ଘଟଣାରେ ମୃତକଙ୍କ ପରିବାରକୁ ଜଣପିଛା ୪ ଲକ୍ଷ ଟଙ୍କାର ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି। ଭୂସ୍ଖଳନରେ ଘର ନଷ୍ଟ ହୋଇଥିବା ପରିବାରଗୁଡ଼ିକୁ ତୁରନ୍ତ ପକ୍କା ଘର ଯୋଗାଇ ଦିଆଯିବ ବୋଲି ମଧ୍ୟ ସେ କହିଛନ୍ତି। ବାତ୍ୟା ଜନିତ ପ୍ରବଳ ବର୍ଷାରେ ଜିଲ୍ଲାର ଅନ୍ୟ ସ୍ଥାନରେ ମଧ୍ୟ କ୍ଷୟକ୍ଷତି ହୋଇଥିବାରୁ ପ୍ରଶାସନ ପକ୍ଷରୁ ସ୍ଥିତିର ଆକଳନ ଜାରି ରହିଛି।

