Electricity Connection Charges: ନଭେମ୍ବର ୧ରୁ ମହଙ୍ଗା ହେବ ନୂଆ ବିଜୁଳି ସଂଯୋଗ! ବଢ଼ିବ ସର୍ଭିସ ଚାର୍ଜ
ନୂଆଦିଲ୍ଲୀ: ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ନୂଆ ଖବର। ରାଜ୍ୟରେ ନୂଆ ବିଜୁଳି ସଂଯୋଗ ନେବାକୁ ନଭେମ୍ବର ୧ରୁ ଅଧିକ ଟଙ୍କା ଦେବାକୁ ପଡ଼ିବ। ବିହାର ବିଦ୍ୟୁତ୍ ନିୟାମକ ଆୟୋଗ (BERC) ଏହି ନୂଆ ଦରକୁ ମଞ୍ଜୁରୀ ଦେଇଥିବା ବେଳେ ନର୍ଥ ବିହାର ଓ ସାଉଥ ବିହାର ପାୱାର ଡିଷ୍ଟ୍ରିବ୍ୟୁସନ କମ୍ପାନୀ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ଜାରି ହୋଇଛି। ୧୫୦ କିଲୋୱାଟ୍ ପର୍ଯ୍ୟନ୍ତ ନୂଆ ବିଜୁଳି ସଂଯୋଗ ପାଇଁ ଏହି ଦର ଲାଗୁ ହେବ।
ନୂଆ ଦର ଅନୁସାରେ, ଲୋ-ଟେନ୍ସନ୍ ସିଙ୍ଗଲ୍ ଫେଜ୍ ସଂଯୋଗରେ ୩ କିଲୋୱାଟ୍ ପର୍ଯ୍ୟନ୍ତ ପ୍ରତି କିଲୋୱାଟ୍ ପିଛା ୩୦୦ ଟଙ୍କା ହିସାବରେ ମୋଟ ୯୦୦ ଟଙ୍କା ଦେବାକୁ ପଡ଼ିବ। ୩ କିଲୋୱାଟ୍ରୁ ଅଧିକ ହେଲେ ୨,୭୦୦ ଟଙ୍କା ମୂଳ ଶୁଳ୍କ ସହ ଅତିରିକ୍ତ ପ୍ରତି କିଲୋୱାଟ୍ ପାଇଁ ୧,୦୦୦ ଟଙ୍କା ଦେବାକୁ ହେବ। ସେହିପରି ଲୋ-ଟେନ୍ସନ୍ ଥ୍ରୀ ଫେଜ୍ ସଂଯୋଗରେ ୫ କିଲୋୱାଟ୍ ପର୍ଯ୍ୟନ୍ତ ୪,୫୦୦ ଟଙ୍କା ଏବଂ ଏହାଠାରୁ ଅଧିକ ହେଲେ ପ୍ରତି ଅତିରିକ୍ତ କିଲୋୱାଟ୍ ପାଇଁ ୧,୫୦୦ ଟଙ୍କା ଦେବାକୁ ପଡ଼ିବ। ୨୦ କିଲୋୱାଟ୍ ପର୍ଯ୍ୟନ୍ତ ୨୧ ହଜାର ଟଙ୍କା ଏବଂ ଏହାଠାରୁ ଅଧିକ ହେଲେ ପ୍ରତି ଅତିରିକ୍ତ କିଲୋୱାଟ୍ ପାଇଁ ୨,୦୦୦ ଟଙ୍କା ଧାର୍ଯ୍ୟ ହୋଇଛି।
ନୂଆ ନିୟମ ଅନୁସାରେ, ନୂଆ ବିଜୁଳି ସଂଯୋଗ ନେଉଥିବା ଉପଭୋକ୍ତାଙ୍କୁ କେବଳ ସ୍ମାର୍ଟ ପ୍ରିପେଡ୍ ମିଟର ଦିଆଯିବ। ନିର୍ଦ୍ଧାରିତ ଶୁଳ୍କ ଜମା ହେବା ପରେ ବିଦ୍ୟୁତ୍ କମ୍ପାନୀ ମିଟର ପର୍ଯ୍ୟନ୍ତ ଲାଇନ୍ ଓ ସର୍ଭିସ୍ ତାର ଯୋଗାଇ ସଂଯୋଗ ପ୍ରଦାନ କରିବ। ଏହାସହ ଦିନବେଳା କମ୍ ଦର ଏବଂ ପିକ୍ ଆୱାର୍ସରେ ଅଧିକ ଦର ଲାଗୁ ହେବାର ନିୟମ ମଧ୍ୟ କାର୍ଯ୍ୟକାରୀ ହେବ। ଏ ସମ୍ପର୍କରେ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକ ସେମାନଙ୍କ ଜୋନ୍ ଓ ବ୍ଲକ୍କୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

