Cyclone Murasu: ଭୀଷଣ ବାତ୍ୟା ‘ମୁରାସୁ’ର ଓଙ୍ଗୋଲ ନିକଟରେ ଲ୍ୟାଣ୍ଡଫଲ୍ ଆଶଙ୍କା, ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାକୁ ଭାରୀ ବର୍ଷା ବିପଦ
ଭୁବନେଶ୍ୱର: ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଇଛି ‘ମୁରାସୁ’। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁସାରେ, ସୋମବାର ବାତ୍ୟାଟି ଚେନ୍ନାଇଠାରୁ ୨୬୦ କି.ମି., ନେଲୋରଠାରୁ ୨୯୦ କି.ମି. ଏବଂ ମଚ୍ଛଲିପଟନମ୍ଠାରୁ ୩୨୦ କି.ମି. ଦୂରରେ ରହିଥିଲା। ଘଣ୍ଟାପ୍ରତି ପ୍ରାୟ ୨୦ କି.ମି. ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବା ବାତ୍ୟା ମଧ୍ୟରାତ୍ରିରୁ ମଙ୍ଗଳବାର ଭୋର୍ ମଧ୍ୟରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ। ନେଲୋର ଓ ନରସାପୁର ମଧ୍ୟରେ ଓଙ୍ଗୋଲ ନିକଟରେ ଲ୍ୟାଣ୍ଡଫଲ୍ ଆଶଙ୍କା ରହିଛି। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୦୦ରୁ ୧୧୦ କି.ମି. ଏବଂ ଝଟ୍କା ପବନ ୧୨୦ କି.ମି. ପର୍ଯ୍ୟନ୍ତ ରହିପାରେ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
‘ମୁରାସୁ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପୁଣି ବର୍ଷା ଆଶଙ୍କା ବଢ଼ିଛି। ନଭେମ୍ବର ୩ ଓ ୪ ତାରିଖ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ମଙ୍ଗଳବାର ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ଝଡ଼ବର୍ଷା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଅନ୍ୟାନ୍ୟ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ରହିଛି। ବୁଧବାର ମଧ୍ୟ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ଭାରୀ ବର୍ଷା ଆଶଙ୍କା ରହିଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରେ ବର୍ଷାର ପ୍ରଭାବ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଲାଗି ରହିପାରେ। ବାତ୍ୟାଜନିତ ବର୍ଷା ଓ ଝଡ଼ବର୍ଷାକୁ ନଜରରେ ରଖି ପାହାଡ଼ିଆ ଏବଂ ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ବାତ୍ୟାର ଗତିପଥ ଓ ବର୍ଷାର ପରିମାଣ ଉପରେ ଆଗାମୀ ସମୟରେ ନଜର ରହିବ।

