Indian Navy Rescue: ସୋମାଲି ଡକାୟତଙ୍କ କବଳରୁ ୨୦ ନାବିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା, ୪୮ ଘଣ୍ଟାର ଅପରେସନ୍ ସଫଳ
ନୂଆଦିଲ୍ଲୀ: ସୋମାଲି ଡକାୟତଙ୍କ ଦ୍ୱାରା ଅପହୃତ ହୋଇଥିବା ଇରାନର ମାଛଧରା ଜାହାଜ ‘ଆଜିନି’ର ସମସ୍ତ ୨୦ ଜଣ କର୍ମଚାରୀଙ୍କୁ ଭାରତୀୟ ନୌସେନା ସୁରକ୍ଷିତ ଉଦ୍ଧାର କରିଛି। ଅକ୍ଟୋବର ୨୯ରେ ଜାହାଜଟିକୁ ଅପହରଣ କରାଯିବା ପରେ ନୌସେନା ପକ୍ଷରୁ ୪୮ ଘଣ୍ଟା ଧରି ଅପରେସନ୍ ଚାଲିଥିଲା। ଆରବ ସାଗରରେ ମୁମ୍ବାଇଠାରୁ ପ୍ରାୟ ୩ ହଜାର କିଲୋମିଟର ଦୂରରେ ଏହି ଅଭିଯାନ କରାଯାଇଥିଲା।
ନୌସେନା ଜାହାଜକୁ ଠାବ କରିବା ସହ ଏହାର କର୍ମଚାରୀଙ୍କୁ ସୁରକ୍ଷିତ ମୁକ୍ତ କରିବା ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିଥିଲା। ଏହି ଅଭିଯାନରେ ଭାରତୀୟ ବାୟୁସେନା ମଧ୍ୟ ସମୟୋଚିତ ସହଯୋଗ ଯୋଗାଇଥିଲା। ଦୀର୍ଘ ୪୮ ଘଣ୍ଟାର ଉଦ୍ୟମ ପରେ ଜାହାଜ ଓ ଏଥିରେ ଥିବା ସମସ୍ତ କର୍ମଚାରୀଙ୍କୁ ଡକାୟତଙ୍କ କବଳରୁ ମୁକ୍ତ କରାଯାଇଥିଲା।
ଏହି ସଫଳ ଅଭିଯାନ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତୀୟ ନୌସେନାକୁ ପ୍ରଶଂସା କରିଛନ୍ତି। ନୌସେନାର ସୁଚିନ୍ତିତ ଓ ସମନ୍ୱିତ କାର୍ଯ୍ୟକୁ ସେ ଉଲ୍ଲେଖ କରିବା ସହ ଭାରତର ସାମୁଦ୍ରିକ ସୁରକ୍ଷା ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଭାରତ ୨୦୦୮ ଅକ୍ଟୋବର ୨୩ରୁ ଆଡେନ୍ ଉପସାଗରରେ ନିରନ୍ତର ଡକାୟତି ବିରୋଧୀ ପାଟ୍ରୋଲିଂ ଜାରି ରଖିଛି।

