Renewable Energy Summit: ଓଡ଼ିଶାର ୧୮ ଶିଳ୍ପ ସଂସ୍ଥା ସହ ଏମ୍ଓୟୁ, ୧.୧୭ ଲକ୍ଷ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ
ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆୟୋଜିତ India Renewable Energy Summit and Expo 2026ରେ ଓଡ଼ିଶା ୧୮ଟି ଶିଳ୍ପ ସଂସ୍ଥା ସହ ଏମ୍ଓୟୁ ସ୍ୱାକ୍ଷର କରିଛି। ଏହି ଚୁକ୍ତି ଜରିଆରେ ରାଜ୍ୟକୁ ପ୍ରାୟ ୧ ଲକ୍ଷ ୧୭ ହଜାର ୫୫୭ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମିଳିଛି। ଏହାଦ୍ୱାରା ପ୍ରାୟ ୧୧ ହଜାର ୭୪୨ ମେଗାୱାଟ୍ର ନୂଆ କ୍ଷମତା ସୃଷ୍ଟି ହେବାର ଆକଳନ କରାଯାଇଛି।
ଏହି ପ୍ରସ୍ତାବିତ ପୁଞ୍ଜିନିବେଶରେ ପମ୍ପଡ୍ ଷ୍ଟୋରେଜ୍, ସୌରଶକ୍ତି, ପବନ ଶକ୍ତି, ହାଇବ୍ରିଡ୍ ନବୀକରଣୀୟ ଶକ୍ତି, ବ୍ୟାଟେରୀ ଷ୍ଟୋରେଜ୍, ଗ୍ରୀନ୍ ହାଇଡ୍ରୋଜେନ୍, ଗ୍ରୀନ୍ ଡାଟା ସେଣ୍ଟର ସହ ଅନ୍ୟାନ୍ୟ ନୂଆ ପ୍ରଯୁକ୍ତି କ୍ଷେତ୍ର ରହିଛି। ଏହି ନିବେଶ ପ୍ରସ୍ତାବ ଓଡ଼ିଶାର ନବୀକରଣୀୟ ଶକ୍ତି କ୍ଷେତ୍ରକୁ ଆଗକୁ ବଢ଼ାଇବାର ଲକ୍ଷ୍ୟ ରଖିଛି।
ସମିଟ୍ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓଡ଼ିଶା ପାଭିଲିୟନ୍ର ଉଦ୍ଘାଟନ କରିଥିଲେ। ଏହାସହ ଉଭୟ ନେଦରଲ୍ୟାଣ୍ଡସ୍ ପାଭିଲିୟନ୍ର ମଧ୍ୟ ଉଦ୍ଘାଟନ କରିଥିଲେ। ସେମାନଙ୍କ ଉପସ୍ଥିତିରେ GRIDCO ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଡ. ସତ୍ୟପ୍ରିୟ ରଥ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ଏମ୍ଓୟୁ ଆଦାନପ୍ରଦାନ କରିଥିଲେ।

