Supreme Court: ହେପାଜତକୁ ନେବାର ୨୪ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରିବା ବାଧ୍ୟତାମୂଳକ, ସୁପ୍ରିମକୋର୍ଟଙ୍କ ରାୟ
ନୂଆଦିଲ୍ଲୀ: ଏଣିକି ଅଭିଯୁକ୍ତଙ୍କୁ ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରିବାର ସମୟସୀମା ଔପଚାରିକ ଗିରଫରୁ ନୁହେଁ, ବରଂ ପୋଲିସ ହେପାଜତକୁ ନେବା ସମୟରୁ ଗଣନା ହେବ। ଏନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ନିଶାଦ୍ରବ୍ୟ ଚୋରାଚାଲାଣ ଅଭିଯୋଗରେ ଚାରି ଜଣଙ୍କ ଗିରଫ ମାମଲାର ଶୁଣାଣି ବେଳେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଅଭିଯୁକ୍ତଙ୍କୁ ଦୀର୍ଘ ସମୟ ଧରି ନ୍ୟାୟିକ ତଦାରଖ ବିନା ହେପାଜତରେ ରଖିବା ଉପରେ ରୋକ୍ ଲାଗିବ।
ମାମଲା ଅନୁସାରେ, ଚାରି ଜଣଙ୍କୁ ୨୦୨୫ ସେପ୍ଟେମ୍ବର ୨୯ ତାରିଖ ଅପରାହ୍ନ ୨ଟା ୩୦ରେ ହେପାଜତକୁ ନିଆଯାଇଥିଲା। କିନ୍ତୁ ପରଦିନ ସକାଳ ୧୧ଟା ୧୫ରେ ସେମାନଙ୍କୁ ଔପଚାରିକ ଭାବେ ଗିରଫ କରାଯାଇଥିଲା। ପରେ ସେହିଦିନ ଅପରାହ୍ନ ୪ଟା ୪୫ରେ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରାଯାଇଥିଲା। ଅର୍ଥାତ୍ ହେପାଜତକୁ ନେବାର ୨୪ ଘଣ୍ଟାରୁ ଅଧିକ ସମୟ ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତଲାସି ଓ ଔପଚାରିକ ଗିରଫ ମଧ୍ୟରେ ଥିବା ୧୮ ଘଣ୍ଟାର ବ୍ୟବଧାନର କୌଣସି ସ୍ପଷ୍ଟ କାରଣ ନଥିବାରୁ କୋର୍ଟ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ।
ସୁପ୍ରିମକୋର୍ଟ କହିଛନ୍ତି, ଏପରି ଅଯଥା ବିଳମ୍ବ କ୍ଷମତାର ଅପବ୍ୟବହାର ହୋଇପାରେ। ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୫୮ ଅନୁଯାୟୀ ଏହି ବିଳମ୍ବକୁ ଅଯୁକ୍ତିଯୁକ୍ତ ବୋଲି ଦର୍ଶାଇ କୋର୍ଟ ଚାରି ଜଣଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଥିଲେ। ସେମାନଙ୍କ ହେପାଜତ ଭାରତୀୟ ସମ୍ବିଧାନର ଧାରା ୨୨(୨)ର ଉଲ୍ଲଂଘନ କରିଥିବା କୋର୍ଟ କହିଛନ୍ତି। ଏହି ରାୟ ଅଭିଯୁକ୍ତଙ୍କ ଅଧିକାର ଏବଂ ନ୍ୟାୟିକ ତଦାରଖର ଗୁରୁତ୍ୱକୁ ପୁଣିଥରେ ସ୍ପଷ୍ଟ କରିଛି।

