NAAC Accreditation: ୭ ବିଶ୍ୱବିଦ୍ୟାଳୟର ମାନ୍ୟତା ନବୀକରଣ ପାଇଁ ଓଡ଼ିଶା ସରକାରଙ୍କ ବଡ ପଦକ୍ଷେପ!
ଭୁବନେଶ୍ୱର: ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ୭ଟି ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ହୋଇନଥିବାରୁ ଏହାକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ତାଲିକାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ, ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ, ଏମ୍.ଏସ୍. ଲ’ ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ରହିଛି।
NAAC ମାନ୍ୟତା ନବୀକରଣ ପ୍ରକ୍ରିୟାକୁ ଶୀଘ୍ର ଆଗେଇ ନେବା ପାଇଁ ଏହି ୭ଟି ବିଶ୍ୱବିଦ୍ୟାଳୟକୁ ଆର୍ଥିକ ଓ ପ୍ରଶାସନିକ ସହଯୋଗ ଯୋଗାଇ ଦେବେ ସରକାର। ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଶିକ୍ଷାଦାନର ମାନ ବଢ଼ାଇବା ପାଇଁ ୧,୪୦୦ରୁ ଅଧିକ ପ୍ରାଧ୍ୟାପକ, ସହ-ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକଙ୍କ ନିଯୁକ୍ତି ପାଇଁ ସାକ୍ଷାତକାର ଚାଲିଛି।
ଏହି ନିଯୁକ୍ତି ପ୍ରକ୍ରିୟା ଆଗାମୀ ଦୁଇ ମାସ ମଧ୍ୟରେ ଶେଷ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। NAAC ମାନ୍ୟତା ନବୀକରଣ ଏବଂ ଶିକ୍ଷକ ନିଯୁକ୍ତି ମାଧ୍ୟମରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଶିକ୍ଷାଦାନ ଓ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।

