Kotia: ଉପର ସେମ୍ବିରୁ ଆନ୍ଧ୍ରର ଚେକ୍ପୋଷ୍ଟ ହଟାଇଲା ଓଡ଼ିଶା ପୁଲିସ, ନିଜ ନିୟନ୍ତ୍ରଣକୁ ନେଲା
ଭୁବନେଶ୍ୱର: କୋଟିଆ ସୀମା ବିବାଦ ମଧ୍ୟରେ ଉପର ସେମ୍ବି ଗାଁରେ ଥିବା ଆନ୍ଧ୍ରର ଏକ ଚେକ୍ପୋଷ୍ଟକୁ ହଟାଇ ନିଜ ନିୟନ୍ତ୍ରଣକୁ ନେଇଛି ଓଡ଼ିଶା ପୁଲିସ। ଦୀର୍ଘ ଦିନ ଧରି ଏହି ଚେକ୍ପୋଷ୍ଟ ମାଧ୍ୟମରେ ଆନ୍ଧ୍ର ପୁଲିସ କୋଟିଆ ଅଞ୍ଚଳର ଗତିବିଧି ଉପରେ ନଜର ରଖୁଥିବା ଅଭିଯୋଗ ହୋଇଆସୁଥିଲା। ଏହି ଘଟଣା କୋଟିଆରେ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଜାରି ରହିଥିବା ସୀମା ବିବାଦକୁ ପୁଣି ଚର୍ଚ୍ଚାକୁ ଆଣିଛି।
ସୂଚନା ଅନୁସାରେ, ଏହି ଚେକ୍ପୋଷ୍ଟରେ CCTV କ୍ୟାମେରା ଲଗାଯାଇଥିଲା। ଏହା ମାଧ୍ୟମରେ କୋଟିଆ ଅଞ୍ଚଳର ଗତିବିଧି ଉପରେ ନଜର ରଖାଯାଉଥିବା କୁହାଯାଉଛି। ଆହୁରି ଅଭିଯୋଗ ହୋଇଛି ଯେ, ଏକ ଚର୍ଚ୍ଚକୁ ପୁଲିସ ଫାଣ୍ଡି ଭାବେ ବ୍ୟବହାର କରାଯାଉଥିଲା। ଏହି କାରଣରୁ ଚେକ୍ପୋଷ୍ଟଟି ସାଧାରଣ ଲୋକଙ୍କ ନଜରକୁ ସହଜରେ ଆସୁନଥିଲା। ଏହାକୁ ନେଇ ପୂର୍ବରୁ ଓଡ଼ିଶା ଓ ଆନ୍ଧ୍ର ପୁଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ମଧ୍ୟ ସୂଚନା ମିଳିଛି।
ଏହି ଚେକ୍ପୋଷ୍ଟ ଆନ୍ଧ୍ରର ପାର୍ବତୀପୁରମ୍ରେ ଥିବା ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ସହ ସଂଯୁକ୍ତ ଥିବା କୁହାଯାଉଛି। ଏ ସମ୍ପର୍କରେ ଜାଣିବା ପରେ ଓଡ଼ିଶା ପୁଲିସ ଚେକ୍ପୋଷ୍ଟକୁ ହଟାଇ ନିଜ ନିୟନ୍ତ୍ରଣକୁ ନେଇଥିବା ଜଣାପଡ଼ିଛି। ଆନ୍ଧ୍ରର ନିର୍ବାଚନ ଦିନ ଓଡ଼ିଶା ପୁଲିସର ଏହି ପଦକ୍ଷେପକୁ କୋଟିଆ ସୀମା ବିବାଦ ପରିପ୍ରେକ୍ଷୀରେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

