Bengaluru Murder Case: ପତ୍ନୀଙ୍କ ସମେତ ୭ ଜଣଙ୍କୁ ହତ୍ୟା ଅଭିଯୋଗ, କ୍ୟାବ୍ ଡ୍ରାଇଭର ଅଟକ
କର୍ଣ୍ଣାଟକ:କର୍ଣ୍ଣାଟକର ବେଙ୍ଗାଲୁରୁରୁ ଏକ ଚାଞ୍ଚଲ୍ୟକର ସାମୂହିକ ହତ୍ୟା ମାମଲା ସାମ୍ନାକୁ ଆସିଛି। କ୍ୟାବ୍ ଡ୍ରାଇଭର ଇନ୍ଦୁଶେଖରଙ୍କ ବିରୋଧରେ ନିଜ ପତ୍ନୀଙ୍କ ସମେତ ତାଙ୍କ ପରିବାରର ୬ ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ମଧ୍ୟରେ ପତ୍ନୀ ସୁନୀତା, ଶାଶୂ ରୂପବତୀ, ଦୁଇ ଶାଳକ, ଦୁଇ ଶାଳୀ ଏବଂ ୭ ବର୍ଷର ଜଣେ ଶିଶୁ ରହିଛନ୍ତି।
ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପାରିବାରିକ ବିବାଦ ଏବଂ ପତ୍ନୀ ନିଜ ବାପଘର ଲୋକଙ୍କ ସହ ସମ୍ପର୍କ ରଖିବାକୁ ନେଇ ଅଭିଯୁକ୍ତ ଅସନ୍ତୁଷ୍ଟ ଥିବା ସନ୍ଦେହ କରାଯାଉଛି। ଅଭିଯୋଗ ଅନୁସାରେ, ପ୍ରଥମେ ସେ ପତ୍ନୀଙ୍କୁ ହତ୍ୟା କରିଥିଲେ। ପରେ ଏକ ପାର୍ଟି ଦେବା ବାହାନାରେ ତାଙ୍କ ଶ୍ୱଶୁର ଘରର ଅନ୍ୟ ସଦସ୍ୟଙ୍କୁ ଘରକୁ ଡାକି ଏହି ଘଟଣା ଘଟାଇଥିବା କୁହାଯାଉଛି। ଏହାପରେ ମୃତଦେହଗୁଡ଼ିକୁ ଭିନ୍ନ ଭିନ୍ନ ସ୍ଥାନରେ ଲୁଚାଇ ରଖିବା ସହ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିବା ମଧ୍ୟ ଅଭିଯୋଗ ରହିଛି।
ଜଣେ ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ଅଭିଯୋଗ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ୭ ଜଣଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିବା ଦାବି କରାଯାଉଛି। ତେବେ ଅନ୍ୟ ମୃତଦେହଗୁଡ଼ିକର ସନ୍ଧାନ ଏବଂ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

