Telangana Hospital Theft: ସରକାରୀ ହସ୍ପିଟାଲରୁ ଚୋରି ହେଲା ୪ ଭେଣ୍ଟିଲେଟର, ମେଡିକାଲ ଟେକ୍ନିସିଆନ୍ ବେଶରେ ଆସିଥିଲେ ଚୋର!
ତେଲେଙ୍ଗାନା: ତେଲେଙ୍ଗାନାର ଏକ ସରକାରୀ ହସ୍ପିଟାଲରୁ ଚୋରି ହୋଇଛି ୪ଟି ଭେଣ୍ଟିଲେଟର। ଏହି ଘଟଣା ଆଦିଲାବାଦର ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (RIMS) ହସ୍ପିଟାଲରେ ଘଟିଛି। ଅକ୍ଟୋବର ୩୦ ତାରିଖରେ ଦୁଇ ଜଣ ଅଭିଯୁକ୍ତ ମେଡିକାଲ ଟେକ୍ନିସିଆନ୍ ବେଶରେ ହସ୍ପିଟାଲ ଭିତରକୁ ପଶିଥିଲେ। ଏହାପରେ ଦ୍ୱିତୀୟ ମହଲାର ୱାର୍ଡରୁ ୪ଟି ଭେଣ୍ଟିଲେଟର ଚୋରି କରି ନେଇଥିଲେ। ଏହି ୱାର୍ଡରେ ଗୁରୁତର ରୋଗୀଙ୍କ ଚିକିତ୍ସା ଚାଲିଥିଲା।
ଚୋରି ପରେ ଅଭିଯୁକ୍ତମାନେ ଭେଣ୍ଟିଲେଟରଗୁଡ଼ିକୁ ମହାରାଷ୍ଟ୍ର ନେଇଯାଇଥିଲେ। ସେଗୁଡ଼ିକୁ ବିକ୍ରି କରିବା ପାଇଁ ହାଇଦ୍ରାବାଦର ଜଣେ ମେଡିକାଲ ଉପକରଣ ବ୍ୟବସାୟୀଙ୍କ ସହ ଯୋଗାଯୋଗ କରିଥିଲେ। ସେହି ବ୍ୟବସାୟୀ ଚୋରି ସାମଗ୍ରୀ କିଣିବାକୁ ରାଜି ହୋଇଥିବା ପୋଲିସ କହିଛି। ତେବେ ଏକ କାର୍ରେ ଭେଣ୍ଟିଲେଟର ନେଇ ହାଇଦ୍ରାବାଦ ଯାଉଥିବା ବେଳେ ଆଦିଲାବାଦରେ ପୋଲିସ ସେମାନଙ୍କୁ ଧରିଥିଲା।
ପଚରାଉଚରା ବେଳେ ଅଭିଯୁକ୍ତମାନେ ମହାରାଷ୍ଟ୍ରର ଅନେକ ହସ୍ପିଟାଲ ସହ ତେଲେଙ୍ଗାନାର ନିଜାମାବାଦରେ ମଧ୍ୟ ଚୋରି କରିଥିବା ସ୍ୱୀକାର କରିଥିବା ପୋଲିସ କହିଛି। ଚୋରି ହୋଇଥିବା ମେଡିକାଲ ଉପକରଣଗୁଡ଼ିକୁ ପୋଲିସ ଜବତ କରିଛି। ଏହି ଘଟଣାରେ ଦୁଇ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଫେରାର ଅଛି। ତାକୁ ଧରିବା ପାଇଁ ପୋଲିସ ଖୋଜାଖୋଜି ଜାରି ରଖିଛି।

