Kendrapara Attack: ବାଣ କିଣିବାକୁ ଯାଇଥିବା ବେଳେ ତିଖିରି ସରପଞ୍ଚଙ୍କ ବାପା ଓ ଭାଇଙ୍କୁ ଆକ୍ରମଣ, ଅନେକ ଗୁରୁତର!
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବାଣ କିଣିବାକୁ ଯାଇଥିବା ବେଳେ ତାଙ୍କ ପରିବାର ଲୋକଙ୍କୁ କିଛି ଲୋକ ମାରଣାନ୍ତକ ଆକ୍ରମଣ କରିଥିବା କୁହାଯାଉଛି। ଏଥିରେ ଚାମେଲିଙ୍କ ବାପା, ଭାଇଙ୍କ ସମେତ ଅନ୍ୟ ସମ୍ପର୍କୀୟ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଘଟଣା ମାର୍ଶାଘାଇ ଥାନା ଅନ୍ତର୍ଗତ ତିଖିରି ପଞ୍ଚାୟତରେ ଘଟିଛି। ସୂଚନା ଅନୁସାରେ, ଗତକାଲି ରାତିରେ ଚାମେଲି ଓଝାଙ୍କ ପରିବାର ଲୋକେ ବାଣ କିଣିବାକୁ ଯାଇଥିଲେ। ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଲୋକ ସେମାନଙ୍କ ଉପରେ ହଠାତ୍ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଘଟଣାକୁ ନେଇ ଉଭୟ ପକ୍ଷରୁ ମାର୍ଶାଘାଇ ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ଉଭୟ ପକ୍ଷର ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି। ଆକ୍ରମଣ ପଛର ପ୍ରକୃତ କାରଣ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

