Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Karnataka High Court: ମା’ଙ୍କୁ ପିଲା ଓ କ୍ୟାରିୟର ମଧ୍ୟରୁ ଗୋଟିଏ ବାଛିବାକୁ ବାଧ୍ୟ କରାଯାଇପାରିବ ନାହିଁ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ!

କର୍ଣ୍ଣାଟକ: ମାତୃତ୍ୱ ଓ ପିଲାଙ୍କ ଲାଳନପାଳନ ପାଇଁ ଜଣେ ମହିଳାଙ୍କୁ ନିଜ କ୍ୟାରିୟର ସହ ସାଲିସ୍‌ କରିବାକୁ ବାଧ୍ୟ କରାଯାଇପାରିବ ନାହିଁ। ଏକ ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ବିବାହ, ମାତୃତ୍ୱ ଓ ପିଲାଙ୍କ ଲାଳନପାଳନ ଯୋଗୁଁ ମହିଳାଙ୍କ କ୍ୟାରିୟର କିମ୍ବା ବୃତ୍ତିଗତ ସ୍ୱାଧୀନତା ପ୍ରଭାବିତ ହେବା ଉଚିତ୍‌ ନୁହେଁ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍‌ ଲଳିତା କନ୍ନେଗନ୍ତି କହିଛନ୍ତି ଯେ, ସମ୍ବିଧାନ ପ୍ରଦତ୍ତ ସମାନତା ଓ ବୃତ୍ତିଗତ ସ୍ୱାଧୀନତାର ଅଧିକାର ମହିଳାଙ୍କୁ କୌଣସି ଏକ ସ୍ଥାନରେ ସୀମିତ ରଖିବାର ସର୍ତ୍ତକୁ ସମର୍ଥନ କରେନାହିଁ।

ଜଣେ ଚକ୍ଷୁ ବିଶେଷଜ୍ଞ ମହିଳାଙ୍କ ମାମଲାରେ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ମହିଳାଙ୍କ ସ୍ୱାମୀ ମୁମ୍ବାଇରେ ରହୁଥିବା ବେଳେ ଉଭୟ ଅଲଗା ରହୁଛନ୍ତି। ମହିଳାଙ୍କୁ ନିଜ ନାବାଳକ ପୁଅ ସହ ବ୍ରିଟେନ୍‌ ଯିବାକୁ କୋର୍ଟ ଅନୁମତି ଦେଇଛନ୍ତି। ଅକ୍ଟୋବର ୨୯ରେ ସ୍ୱାମୀଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ବେଙ୍ଗାଲୁରୁ ଫ୍ୟାମିଲି କୋର୍ଟଙ୍କ ପୂର୍ବ ଆଦେଶକୁ ବଜାୟ ରଖିଥିଲେ। ଫ୍ୟାମିଲି କୋର୍ଟ ସ୍ୱାମୀଙ୍କୁ ପୁଅର ମୂଳ ପାସପୋର୍ଟ ପତ୍ନୀଙ୍କୁ ଦେବା ସହ ବ୍ରିଟେନ୍‌ ଯିବା ପାଇଁ ଭିସା ନିମନ୍ତେ ସମ୍ମତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ସ୍ୱାମୀ ଏହି ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ପୁଅର ଅନ୍ତରୀଣ ହେପାଜତ ପତ୍ନୀଙ୍କ ପରିବାରଠାରୁ ହଟାଇ ନିଜ ସମ୍ପର୍କୀୟଙ୍କୁ ଦେବାକୁ ଦାବି କରିଥିଲେ। ହେଲେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିଲେ। ଅନ୍ୟପଟେ, ମହିଳା ଜଣକ କହିଥିଲେ ଯେ, ୨୦୧୯ରେ ତାଙ୍କୁ ମୁମ୍ବାଇସ୍ଥିତ ଘରୁ ବାହାର କରିଦିଆଯିବା ପରଠାରୁ ସେ ଏକାକୀ ପୁଅର ଲାଳନପାଳନ କରୁଛନ୍ତି। ବ୍ରିଟେନ୍‌ରେ ଚାକିରି ମିଳିଲେ ତାଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ପୁଅକୁ ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସ୍ଥିର ଜୀବନ ପ୍ରଦାନ କରିପାରିବେ ବୋଲି ସେ କୋର୍ଟଙ୍କୁ ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ