Bus Accident: ଟ୍ରକ୍ ରେ ପିଟିହେଲା ବସ୍, ଡ୍ରାଇଭରଙ୍କ ସମେତ ୧୫ରୁ ଅଧିକ ଆହତ
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ନିକଟରେ ଏକ ଯାତ୍ରୀବାହୀ ବସ୍ ଟ୍ରକ୍ ପଛରେ ଧକ୍କା ଦେବାରୁ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ‘ମୁକ୍ତେଶ୍ୱର’ ନାମକ ବସ୍ଟି ଜାତୀୟ ରାଜପଥରେ ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା। ଏହି ବସ୍ରେ ୪୦ରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି।
ଧକ୍କା ଏତେ ଜୋର୍ରେ ହୋଇଥିଲା ଯେ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ବସ୍ ଚାଳକଙ୍କ ସମେତ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଯାଇଥିଲା।
ସୂଚନା ଅନୁସାରେ, ସେହି ରାସ୍ତା ଦେଇ ଯାଉଥିବା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦୁର୍ଘଟଣାସ୍ଥଳରେ ଅଟକି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ଅନ୍ୟପଟେ, ଦୁର୍ଘଟଣାଗ୍ରସ୍ତ ବସ୍ ଓ ଟ୍ରକ୍କୁ ରାସ୍ତାରୁ ହଟାଇବା ସହ ଘଟଣାର କାରଣ ଜାଣିବା ପାଇଁ ଚମାଖଣ୍ଡି ପୋଲିସ ତଦନ୍ତ ଜାରି ରଖିଛି।

