Orissa High Court: ଗାଡ଼ିରେ ମଦ ଥିବା ମାତ୍ରେ ହେବନି ଜବତ, ପ୍ରମାଣ ନ ମିଳିଲେ ମାଲିକଙ୍କୁ କାର୍ ଫେରାଇବାକୁ ହାଇକୋର୍ଟଙ୍କ ରାୟ
କଟକ:ଗାଡ଼ିରୁ ମଦ ଜବତ ହେବା ମାତ୍ରେ ଏହାକୁ ସରକାର ଜବତ କରିପାରିବେ ନାହିଁ। ଗାଡ଼ିଟି ମଦ ଚୋରାଚାଲାଣ କିମ୍ବା ଅବକାରୀ ଆଇନ ଉଲ୍ଲଂଘନରେ ବ୍ୟବହୃତ ହୋଇଥିବା ନେଇ ଅଧିକାରୀମାନେ ସ୍ୱତନ୍ତ୍ର ଭାବେ ପ୍ରମାଣ ଯାଞ୍ଚ କରିବା ଆବଶ୍ୟକ। ଏକ ଅବକାରୀ ମାମଲାରେ ଗାଡ଼ି ଜବତୀକରଣ ଆଦେଶକୁ ରଦ୍ଦ କରି ନଭେମ୍ବର ୬ ତାରିଖରେ ଏପରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଶଶିକାନ୍ତ ମିଶ୍ର। ଏହା ସହ ଗାଡ଼ି ମାଲିକଙ୍କ ପକ୍ଷ ଠିକ୍ ଭାବେ ଶୁଣାଣି ନକରି କେବଳ ଜବତ ରିପୋର୍ଟ ଆଧାରରେ ଗାଡ଼ି ଜବତ କରିବା ଆଇନସମ୍ମତ ନୁହେଁ ବୋଲି କୋର୍ଟ କହିଛନ୍ତି।
ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଗୋହିରା ବ୍ରିଜ୍ ନିକଟରେ ଅବକାରୀ ଅଧିକାରୀମାନେ ଉମେଶ ପାତ୍ରଙ୍କ ମାରୁତି ସୁଜୁକି ସେଲେରିଓ କାର୍ରୁ ୬୮ଟି ବୋତଲରେ ଥିବା ପ୍ରାୟ ୫୧ ଲିଟର ବିନା ଶୁଳ୍କର ଭାରତୀୟ ବିଦେଶୀ ମଦ ଜବତ କରିଥିଲେ। ଏହାପରେ କାର୍ଟିକୁ ଜବତ କରାଯାଇଥିଲା। ତେବେ ଉମେଶଙ୍କ ଦାବି ଥିଲା, ଜଣେ ସହଯାତ୍ରୀ ଲିଫ୍ଟ ମାଗି ଗାଡ଼ିରେ ବସିଥିଲେ ଏବଂ ବ୍ୟାଗ୍ରେ ବିବାହ ସାମଗ୍ରୀ ଥିବା କହିଥିଲେ। ବ୍ୟାଗ୍ରେ ମଦ ଥିବା ବିଷୟରେ ସେ ଜାଣିନଥିବା ଉମେଶ କୋର୍ଟରେ ଯୁକ୍ତି ରଖିଥିଲେ। ମାମଲାରେ ଜବତ ପ୍ରକ୍ରିୟା ଓ ଗାଡ଼ି ଜବତୀକରଣ ଦୁଇଟି ଭିନ୍ନ ଆଇନଗତ ପ୍ରକ୍ରିୟା ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
କୋର୍ଟ କହିଛନ୍ତି, ଓଡ଼ିଶା ଅବକାରୀ ଆଇନ, ୨୦୦୮ର ଧାରା ୭୧ ଅନୁସାରେ ଗାଡ଼ି ଜବତ କରିବା ପାଇଁ ଯୁକ୍ତିଯୁକ୍ତ ସନ୍ଦେହ ଯଥେଷ୍ଟ ହୋଇପାରେ, କିନ୍ତୁ ଜବତୀକରଣ ପାଇଁ ସକ୍ଷମ ଅଧିକାରୀଙ୍କ ସ୍ୱତନ୍ତ୍ର ଯାଞ୍ଚ ଓ ସନ୍ତୁଷ୍ଟି ଆବଶ୍ୟକ। ଜବତ ତାଲିକାରେ ଗାଡ଼ି ମାଲିକଙ୍କ ଦସ୍ତଖତ ଥିବାରୁ ସେ ମଦ ବିଷୟରେ ଜାଣିଥିଲେ ବୋଲି ପ୍ରମାଣିତ ହୁଏ ନାହିଁ। ସେହିପରି ରାସାୟନିକ ପରୀକ୍ଷା ରିପୋର୍ଟ ମଦର ପ୍ରକୃତି ଜଣାଇପାରେ, କିନ୍ତୁ ମାଲିକଙ୍କ ସମ୍ପୃକ୍ତି ପ୍ରମାଣ କରିପାରିବ ନାହିଁ। ଜଷ୍ଟିସ୍ ମିଶ୍ର ଜୁଲାଇ ୧୬, ୨୦୨୫ରେ ଅଧିକୃତ ଅଧିକାରୀ ଏବଂ ଅଗଷ୍ଟ ୧୩, ୨୦୨୬ରେ ଅବକାରୀ କମିଶନର ଦେଇଥିବା ଜବତୀକରଣ ଆଦେଶ ସହ ସମସ୍ତ ପ୍ରକ୍ରିୟାକୁ ରଦ୍ଦ କରିଛନ୍ତି। ସମ୍ବିଧାନର ଧାରା ୩୦୦-ଏ ଉଲ୍ଲେଖ କରି କୋର୍ଟ କହିଛନ୍ତି, ଆଇନ ଅନୁସାରେ ହିଁ କାହାର ସମ୍ପତ୍ତିର ଅଧିକାର ଛଡ଼ାଯାଇପାରିବ। ଏଥିସହ ଉମେଶଙ୍କୁ କାର୍ ଫେରାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସକ୍ଷମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

