Nvidia Shares: ଚୀନ୍ର ମହିଳାଙ୍କ ସହ ଜେନସେନ୍ ହୁଆଙ୍ଗଙ୍କ ସମ୍ପର୍କକୁ ନେଇ ବିବାଦ, ଦୁଇ ଦିନରେ ୪୭୦ ବିଲିୟନ ଡଲାର ହରାଇପାରେ କମ୍ପାନୀର ବଜାର ମୂଲ୍ୟ!
ନୂଆଦିଲ୍ଲୀ: ଆମେରିକାର ଚିପ୍ ନିର୍ମାତା କମ୍ପାନୀ Nvidiaର ସେୟାର ମୂଲ୍ୟରେ ହ୍ରାସ ଜାରି ରହିଛି। ମଙ୍ଗଳବାର କାରବାରରେ ମଧ୍ୟ କମ୍ପାନୀର ସେୟାର ହ୍ରାସ ପାଇବାରୁ ଦୁଇଟି କାରବାର ଦିନରେ ଏହାର ବଜାର ମୂଲ୍ୟ ୪୭୦ ବିଲିୟନ ଡଲାରରୁ ଅଧିକ କମିବା ଆଶଙ୍କା ସୃଷ୍ଟି ହୋଇଛି। କମ୍ପାନୀର CEO ଜେନସେନ୍ ହୁଆଙ୍ଗଙ୍କ ଜଣେ ଚୀନ୍ର ମହିଳା ଆଲିସ୍ ହୁଆଙ୍ଗଙ୍କ ସହ ସମ୍ପର୍କକୁ ନେଇ ବିବାଦ ଏବଂ ତାଙ୍କ ବିରୋଧରେ ଚୀନ୍ ପାଇଁ ଗୁପ୍ତଚର କାମ କରୁଥିବା ସନ୍ଦେହ ଏହି ହ୍ରାସର ଏକ ପ୍ରମୁଖ କାରଣ ବୋଲି ଆଶଙ୍କା କରାଯାଉଛି ।
ମଙ୍ଗଳବାର ପ୍ରକାଶିତ ଏକ ରିପୋର୍ଟରେ ‘ଦି ଇନଫର୍ମେସନ୍’ ଦାବି କରିଛି ଯେ, ଜେନସେନ୍ ହୁଆଙ୍ଗଙ୍କ ସହ ଆଲିସ୍ ହୁଆଙ୍ଗଙ୍କ ସମ୍ପର୍କ ଯୋଗୁଁ ଚୀନ୍ର ବିଭିନ୍ନ କମ୍ପାନୀକୁ ଅତି କମ୍ରେ ୭.୫ ବିଲିୟନ ଡଲାର ମୂଲ୍ୟର Nvidia ଚିପ୍ ପଠାଇବାରେ ସହାୟତା ମିଳିଥିଲା। ଆଲିସ୍ଙ୍କୁ ଜାଣିଥିବା ଦୁଇ ଜଣ ବ୍ୟକ୍ତିଙ୍କ ସୂଚନା ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି। ତେବେ ଆଲିସ୍ ହୁଆଙ୍ଗ ଓ ଜେନସେନ୍ ହୁଆଙ୍ଗଙ୍କ ମଧ୍ୟରେ କୌଣସି ପାରିବାରିକ ସମ୍ପର୍କ ନାହିଁ।
ଆଲିସ୍ ହୁଆଙ୍ଗଙ୍କ ବିରୋଧରେ ଚୀନ୍ର ଗୁପ୍ତଚର ସଂସ୍ଥା ପାଇଁ କାମ କରୁଥିବା ଅଭିଯୋଗ ରହିଥିଲେ ମଧ୍ୟ ଏହା ସ୍ୱତନ୍ତ୍ର ଭାବେ ପ୍ରମାଣିତ ହୋଇନାହିଁ। ସେହିପରି ଚୀନ୍କୁ ଚିପ୍ ପଠାଇବା ଘଟଣାରେ ଜେନସେନ୍ ହୁଆଙ୍ଗଙ୍କ ସମ୍ପୃକ୍ତି ନେଇ ପ୍ରମାଣିତ ହୋଇନାହିଁ । ତେବେ ଏହି ବିବାଦ ମଧ୍ୟରେ Nvidiaର ସେୟାର ମୂଲ୍ୟ ଉପରେ ଚାପ ବଢ଼ିଥିବାରୁ ନିବେଶକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

