Adobe CEO: ସଫ୍ଟୱେର କମ୍ପାନୀ ‘ଆଡୋବ’ର ନୂଆ CEO ହେବେ ଭାରତୀୟ ବଂଶୋଦ୍ଭବ ଅନିଲ ଚକ୍ରବର୍ତ୍ତୀ! ଡିସେମ୍ବର ୧ରୁ ନେବେ ଦାୟିତ୍ୱ
ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ସଫ୍ଟୱେର କମ୍ପାନୀ ଆଡୋବ ନିଜର ନୂଆ ପ୍ରେସିଡେଣ୍ଟ ଓ CEO ଭାବେ ଭାରତୀୟ ବଂଶୋଦ୍ଭବ ଅନିଲ ଚକ୍ରବର୍ତ୍ତୀଙ୍କ ନାମ ଘୋଷଣା କରିଛି। ୨୦୨୬ ଡିସେମ୍ବର ୧ରୁ ସେ ଏହି ଦାୟିତ୍ୱ ଗ୍ରହଣ କରିବେ। ପ୍ରାୟ ଦୁଇ ଦଶନ୍ଧି ଧରି କମ୍ପାନୀର ନେତୃତ୍ୱ ନେଇଥିବା ଶାନ୍ତନୁ ନାରାୟଣଙ୍କ ସ୍ଥାନ ନେବେ ଅନିଲ।
ବର୍ତ୍ତମାନ ଅନିଲ ଚକ୍ରବର୍ତ୍ତୀ ଆଡୋବର କଷ୍ଟମର ଏକ୍ସପେରିଏନ୍ସ ଅର୍କେଷ୍ଟ୍ରେସନ୍ ବ୍ୟବସାୟ ସହ ବିଶ୍ୱସ୍ତରୀୟ ବିକ୍ରୟ ଓ ପରିଚାଳନା ଦାୟିତ୍ୱ ସମ୍ଭାଳୁଛନ୍ତି। ନୂଆ ପଦବୀ ସହ ସେ କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସରେ ମଧ୍ୟ ସାମିଲ ହେବେ। ଅନ୍ୟପକ୍ଷରେ ଶାନ୍ତନୁ ନାରାୟଣ ଏକ୍ଜିକ୍ୟୁଟିଭ୍ ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ତୁଲାଇବେ ଏବଂ ନୂଆ CEOଙ୍କ ସହ ମିଶି କମ୍ପାନୀର ପରିବର୍ତ୍ତନ ପ୍ରକ୍ରିୟାକୁ ଆଗକୁ ବଢ଼ାଇବେ।
ଦାୟିତ୍ୱ ଗ୍ରହଣକୁ ନେଇ ଅନିଲ କହିଛନ୍ତି ଯେ, ଆଡୋବର ଆଗାମୀ ବିକାଶ ପର୍ଯ୍ୟାୟର ନେତୃତ୍ୱ ନେବାକୁ ସେ ଉତ୍ସାହିତ ଅଛନ୍ତି। ବିଶେଷକରି କୃତ୍ରିମ ବୁଦ୍ଧିମତ୍ତା (AI) ସୃଜନଶୀଳତା, କାର୍ଯ୍ୟଦକ୍ଷତା ଓ ଗ୍ରାହକଙ୍କ ଅନୁଭୂତିକୁ ନୂଆ ରୂପ ଦେଉଥିବା ସମୟରେ କମ୍ପାନୀକୁ ଆଗକୁ ନେବା ତାଙ୍କର ଲକ୍ଷ୍ୟ ରହିବ।

