Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Maharashtra Minister: ଘର ଉପରେ ଆକ୍ରମଣ ପରେ ପୋଲିସ ପ୍ରଶାସନକୁ ଘେରିଲେ ମନ୍ତ୍ରୀ ସଞ୍ଜୟ ଶିରସାଟ,କହିଲେ ‘ଆମେ ମରିଗଲେ ପରେ ଆସିବେ କି ପୋଲିସ?’;

ମହାରାଷ୍ଟ୍ର: ମହାରାଷ୍ଟ୍ରର ମନ୍ତ୍ରୀ ସଞ୍ଜୟ ଶିରସାଟଙ୍କ ଛତ୍ରପତି ସମ୍ଭାଜୀନଗର ସ୍ଥିତ ବାସଭବନ ଉପରେ ଗୁରୁବାର ମଧ୍ୟରାତ୍ରିରେ ଆକ୍ରମଣ ହୋଇଛି। ତିନି ଜଣ ଯୁବକ ଘର ବାହାରେ ହଙ୍ଗାମା କରିବା ସହ ପଥର ଓ କାଚ ବୋତଲ ଫିଙ୍ଗିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ରାଜ୍ୟ ପୋଲିସ ପ୍ରଶାସନ ଉପରେ ବର୍ଷିଛନ୍ତି ଏକନାଥ ସିନ୍ଦେଙ୍କ ଶିବସେନାର ଏହି ମନ୍ତ୍ରୀ। ସହରରେ ଅପରାଧ ବଢ଼ୁଥିବା ବେଳେ ପୋଲିସ ଆଇନଶୃଙ୍ଖଳା ନିୟନ୍ତ୍ରଣ ପରିବର୍ତ୍ତେ ଟଙ୍କା ରୋଜଗାର ଓ ଭଲ ପୋଷ୍ଟିଂ ପାଇବାରେ ବ୍ୟସ୍ତ ଥିବା ସେ ଅଭିଯୋଗ କରିଛନ୍ତି।

ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଶିରସାଟ ସହରର ପୋଲିସ କମିସନରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ସହରରେ ପ୍ରତିଦିନ ହତ୍ୟାକାଣ୍ଡ ଘଟୁଛି ଏବଂ ଖୋଲାଖୋଲି ଭାବେ ନିଶାଦ୍ରବ୍ୟ ବିକ୍ରି ହେଉଛି। ଅନ୍ୟପଟେ ପୋଲିସ କମିସନର ନିଜର ପରବର୍ତ୍ତୀ ପୋଷ୍ଟିଂକୁ ନେଇ ଅଧିକ ଚିନ୍ତିତ ଥିବା ସେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଜଣେ ଡିସିପି ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ଏବଂ ଡିଜିପିଙ୍କ ହସ୍ତକ୍ଷେପ ପରେ ହିଁ ଆସିଥିଲେ ବୋଲି ମନ୍ତ୍ରୀ କହିଛନ୍ତି। ବେଆଇନ ଜୁଆ ଆଡ୍ଡା ପୋଲିସର ସମର୍ଥନରେ ଚାଲୁଥିବା ଅଭିଯୋଗ କରି ଏହାର ତାଲିକା ମୁଖ୍ୟମନ୍ତ୍ରୀଙ୍କୁ ଦେବେ ବୋଲି ସେ କହିଛନ୍ତି। ଏଥିସହ ‘ଆମେ ମରିଗଲେ ପରେ ପୋଲିସ ଆସିବ କି?’ ବୋଲି ପ୍ରଶ୍ନ କରିଛନ୍ତି।

ପୋଲିସ ସୂଚନା ଅନୁସାରେ, ଗୋଲୱାଡି ଅଞ୍ଚଳରେ ଥିବା ମନ୍ତ୍ରୀଙ୍କ ଘର ନିକଟରେ ହଙ୍ଗାମା କରିବା ଓ ପଥର, ଖାଲି କାଚ ବୋତଲ ଫିଙ୍ଗିବା ଅଭିଯୋଗରେ ରୋହିତ ଭୁତାଲେ, ଶିବମ ଗାଏକୱାଡ ଓ ପ୍ରତୀକ କୁଟେଙ୍କୁ ଅଟକ ରଖାଯାଇଛି। ସେମାନଙ୍କୁ ଧରିବା ସମୟରେ ଦୁଇ ଜଣ ପୋଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ଅନଧିକାର ପ୍ରବେଶ, ସରକାରୀ କାର୍ଯ୍ୟରେ ବାଧା, ଧମକ ଓ ସମ୍ପତ୍ତି ନଷ୍ଟ ଭଳି ଅଭିଯୋଗରେ ମାମଲା ରୁଜୁ ହୋଇଛି। ଆକ୍ରମଣ ପଛର କାରଣ ଏବଂ ଏଥିରେ ଅନ୍ୟ କେହି ସାମିଲ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories