Gondhal Review: କିଶୋର କଦମ ଓ ଇଶିତାଙ୍କ ଅଭିନୟରେ ମନ ଜିଣିଲା ସିନେମା ‘ଗୋନ୍ଧଳ’, ସମୀକ୍ଷକ କହିଲେ- ଓସ୍କାର ଯୋଗ୍ୟ ପ୍ରଦର୍ଶନ
ମୁମ୍ବାଇ : ମରାଠୀ ଫିଲ୍ମ ‘ଗୋନ୍ଧଳ’ (Gondhal) ଏହାର ଭିନ୍ନ କାହାଣୀ ଓ ଶକ୍ତିଶାଳୀ ଅଭିନୟକୁ ନେଇ ଚର୍ଚ୍ଚାରେ ରହିଛି। ନିର୍ଦ୍ଦେଶକ ସନ୍ତୋଷ ଡାଭାଖରଙ୍କ ଏହି ଫିଲ୍ମରେ ଗ୍ରାମୀଣ ଜୀବନର ବାସ୍ତବ ଚିତ୍ର ଓ ମାଟିର ମଣିଷଙ୍କ କାହାଣୀକୁ ଗୁରୁତ୍ୱ ଦିଆଯାଇଛି। ଫିଲ୍ମର ହିନ୍ଦୀ ଡବ୍ ସଂସ୍କରଣକୁ ନେଇ ଆସିଥିବା ସମୀକ୍ଷାରେ ଏହାର କାହାଣୀ କହିବା ଶୈଳୀକୁ ପ୍ରଶଂସା କରାଯାଇଛି।
ଫିଲ୍ମରେ କିଶୋର କଦମ ଓ ଇଶିତା ଦେଶମୁଖଙ୍କ ଅଭିନୟ ବିଶେଷ ଭାବେ ଚର୍ଚ୍ଚା ସାଉଁଟିଛି। ସମୀକ୍ଷାରେ ଉଭୟ କଳାକାରଙ୍କ ଅଭିନୟକୁ ଅତ୍ୟନ୍ତ ଉଚ୍ଚକୋଟୀର ବୋଲି କୁହାଯାଇଛି। ଏପରିକି ସେମାନଙ୍କ ପ୍ରଦର୍ଶନକୁ ‘ଓସ୍କାର ଯୋଗ୍ୟ’ ବୋଲି ପ୍ରଶଂସା କରାଯାଇଛି। ଯୋଗେଶ ସୋହୋନି ଓ ସୁରେଶ ବିଶ୍ୱକର୍ମା ମଧ୍ୟ ଫିଲ୍ମରେ ଅଭିନୟ କରିଛନ୍ତି।
‘ଗୋନ୍ଧଳ’ର ବିଶେଷତ୍ୱ ହେଉଛି ଏହାର ସରଳ ଓ ବାସ୍ତବଧର୍ମୀ ଉପସ୍ଥାପନା। ଗ୍ରାମୀଣ ପରିବେଶ, ସ୍ଥାନୀୟ ଜୀବନଶୈଳୀ ଏବଂ ଚରିତ୍ରମାନଙ୍କ ଭାବନାକୁ ଫିଲ୍ମରେ ସ୍ୱାଭାବିକ ଭାବେ ଦେଖାଇବାକୁ ଉଦ୍ୟମ କରାଯାଇଛି। ଏହି କାରଣରୁ ଫିଲ୍ମଟି ଏକ ଭିନ୍ନ ସିନେମା ଅନୁଭୂତି ଦେଉଥିବା ସମୀକ୍ଷାରେ ମତ ପ୍ରକାଶ ପାଇଛି।

