Godhra Case: ସୋନିଆ ଗାନ୍ଧିଙ୍କ ପୁସ୍ତକରେ ଗୋଧରା ଘଟଣା ସମ୍ପର୍କିତ ଉଲ୍ଲେଖକୁ ଖଣ୍ଡନ କଲେ ପୂର୍ବତନ SIT ମୁଖ୍ୟ ରାକେଶ ଅସ୍ଥାନା
ନୂଆଦିଲ୍ଲୀ: ୨୦୦୨ ମସିହାର ଗୋଧରା ଟ୍ରେନ୍ ଅଗ୍ନିକାଣ୍ଡକୁ ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ପୁସ୍ତକରେ କରାଯାଇଥିବା ଉଲ୍ଲେଖକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତଦନ୍ତକାରୀ ଦଳର ପୂର୍ବତନ ମୁଖ୍ୟ ରାକେଶ ଅସ୍ଥାନା। ସୋନିଆଙ୍କ ପୁସ୍ତକ ‘Belonging: A Journey of Love’ରେ ସାବରମତୀ ଏକ୍ସପ୍ରେସ୍ରେ ନିଆଁ ଲାଗିବାର କାରଣକୁ ବିବାଦୀୟ ବୋଲି ଉଲ୍ଲେଖ କରାଯାଇଛି। ଏହାକୁ ଅସ୍ଥାନା ଖଣ୍ଡନ କରି ଘଟଣାଟି ଦୁର୍ଘଟଣା ନୁହେଁ, ବରଂ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା ବୋଲି କହିଛନ୍ତି।
ANIକୁ ଦେଇଥିବା ସାକ୍ଷାତକାରରେ ଅସ୍ଥାନା କହିଛନ୍ତି, ତଦନ୍ତ ସମୟରେ ମିଳିଥିବା ଫୋରେନସିକ୍ ପ୍ରମାଣ, ସ୍ୱାଧୀନ ସାକ୍ଷୀଙ୍କ ବୟାନ ଏବଂ ପୋଡ଼ିଯାଇଥିବା ଟ୍ରେନ୍ ବଗିର ଯାଞ୍ଚ ଆଧାରରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇଥିଲା। ତାଙ୍କ ମତରେ, ତଦନ୍ତରେ ମିଳିଥିବା ପ୍ରମାଣ ଆଧାରରେ ଅଦାଲତରେ ମଧ୍ୟ ଦୋଷୀଙ୍କ ବିରୋଧରେ ରାୟ ଆସିଛି। ତେଣୁ ଘଟଣାର କାରଣ ଏବେ ବି ଅସ୍ପଷ୍ଟ ବୋଲି କହିବା ସହ ସେ ସହମତ ନୁହନ୍ତି।
୨୦୦୨ ଫେବ୍ରୁଆରୀ ୨୭ରେ ଗୋଧରା ନିକଟରେ ସାବରମତୀ ଏକ୍ସପ୍ରେସ୍ର ଏକ ବଗିରେ ନିଆଁ ଲାଗି ୫୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଗୁଜରାଟର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ଘଟିଥିଲା। ସୋନିଆ ଗାନ୍ଧିଙ୍କ ପୁସ୍ତକରେ ଏହି ଘଟଣା ସମ୍ପର୍କିତ ଉଲ୍ଲେଖ ଏବଂ ଅସ୍ଥାନାଙ୍କ ପ୍ରତିକ୍ରିୟା ପରେ ଗୋଧରା ଘଟଣାକୁ ନେଇ ରାଜନୈତିକ ଚର୍ଚ୍ଚା ପୁଣି ଆରମ୍ଭ ହୋଇଛି।

