ସାତକମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନେହେରୁ ଜୟନ୍ତୀ ଓ ଶିଶୁ ଦିବସ ପାଳିତ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପକଣ୍ଠସ୍ଥ ସାତକମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଭାକକ୍ଷରେ ପୁରାତନ ଛାତ୍ର ସଂଘ ପକ୍ଷରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ତଥା ପବିତ୍ର ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନନ୍ଦିନୀ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଚୌଧୁରୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅତିଥିବୃନ୍ଦ ପ୍ରଥମେ ପଣ୍ଡିତ ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ନିଜ ଅଭିଭାଷଣରେ ଅତିଥିମାନେ ପଣ୍ଡିତ ନେହେରୁଙ୍କ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଭୂୟସୀ ପ୍ରଶଂସା କରିବା ସହ ତାଙ୍କୁ ‘ଆଧୁନିକ ଭାରତର ନବ ନିର୍ମାତା’ ଭାବେ ଅଭିହିତ କରିଥିଲେ। ଏଥିସହ ଶିଶୁମାନଙ୍କ ପ୍ରତି ନେହେରୁଜୀଙ୍କର ଥିବା ଅଗାଧ ସ୍ନେହ ଓ ବାସ୍ତଲ୍ୟ ମମତା ଉପରେ ଆଲୋକପାତ କରି ଛାତ୍ରଛାତ୍ରୀଙ୍କୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ସୁରଭି ନାଏକ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା, ଯାହାକୁ ବୈଦ୍ୟ ଷଣ୍ଢ ପରିଚାଳନା କରିଥିଲେ। ଶେଷରେ ସହକାରୀ ଶିକ୍ଷୟିତ୍ରୀ ସ୍ନେହଲତା ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ।

