ଗୁଡିଘାଟ-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ନମୋ ନାରାୟଣୀ ରାଇସ୍ ମିଲ୍ର ବେଆଇନ ବର୍ଜ୍ୟବସ୍ତୁ ଫିଙ୍ଗା ଅଭିଯୋଗ: ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଦାବୀ।
ବଲାଙ୍ଗୀର,୧୫।୧୧: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲ୍ ଅନ୍ତର୍ଗତ ଗୁଡିଘାଟ ଓ ପତ୍ରାପାଲି ମଧ୍ୟବର୍ତ୍ତୀ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ‘ନମୋ ନାରାୟଣୀ ରାଇସ୍ ମିଲ୍’ ମାଲିକଙ୍କ ପକ୍ଷରୁ ପରିବେଶ ନିୟମକୁ ଜଳାଞ୍ଜଳି ଦିଆଯାଉଥିବା ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଉକ୍ତ ରାସ୍ତା କଡ଼ରେ ଅବସ୍ଥିତ ‘ନମୋ ନାରାୟଣୀ ରାଇସ୍ ମିଲ୍’ର କର୍ତ୍ତୃପକ୍ଷ ଓ ମିଲର୍ସ ନିୟମିତ ଭାବେ ଟ୍ରକ୍ ଯୋଗେ ମିଲ୍ରୁ ବାହାରୁଥିବା ବିଷାକ୍ତ ବର୍ଜ୍ୟବସ୍ତୁ ଓ ପାଉଁଶକୁ ଖୋଲାଖୋଲି ଭାବେ ରାସ୍ତା କଡ଼ରେ ଫିଙ୍ଗୁଥିବା ଅଭିଯୋଗ ହୋଇଛି। ଏହି ବେଆଇନ କାର୍ଯ୍ୟକଳାପ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପରିବେଶ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ରାଇସ୍ ମିଲ୍ରୁ ନିର୍ଗତ ଦୂଷିତ ଜଳ ଏବଂ କୁଢ଼ କୁଢ଼ ବର୍ଜ୍ୟବସ୍ତୁ ସଂଲଗ୍ନ କୃଷିଜମି ଓ ଭୂତଳ ଜଳସ୍ତର ଉପରେ କୁପ୍ରଭାବ ପକାଉଛି। ଖୋଲା ଆକାଶରେ ଏଭଳି ବର୍ଜ୍ୟବସ୍ତୁ ପଡ଼ି ରହିବା କାରଣରୁ ଦୁର୍ଗନ୍ଧ ସାଙ୍ଗକୁ ମଶାମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି, ଯାହାକି ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରୁଛି।
ଭାରତୀୟ ପରିବେଶ ସୁରକ୍ଷା ଆଇନ, ୧୯୮୬ (Environment Protection Act, 1986) ଏବଂ ଜଳ (ପ୍ରଦୂଷଣ ନିବାରଣ ଓ ନିୟନ୍ତ୍ରଣ) ଆଇନ, 1974 ଅନୁଯାୟୀ, କୌଣସି ଶିଳ୍ପାନୁଷ୍ଠାନ ବା ମିଲ୍ ନିଜର ବର୍ଜ୍ୟବସ୍ତୁକୁ ସାଧାରଣ ରାସ୍ତା କଡ଼ରେ କିମ୍ବା ଜଳସ୍ରୋତ ନିକଟରେ ଖୋଲାଖୋଲି ପକାଇପାରିବେ ନାହିଁ। ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB)ର କଡ଼ା ମାର୍ଗଦର୍ଶିକା ସତ୍ତ୍ୱେ ଏହି ମିଲ୍ ମାଲିକ ଆଇନକୁ ଉଲ୍ଲଂଘନ କରି କରୁଥିବା ଏପରି ବେଆଇନ କାର୍ଯ୍ୟ ପ୍ରଶାସନିକ ନୀତିର ସ୍ପଷ୍ଟ ଅବମାନନା ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
ରାସ୍ତା ପାର୍ଶ୍ୱରେ ଏଭଳି ପରିବେଶ ବିଧ୍ୱଂସୀ କାର୍ଯ୍ୟକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ସଚେତନ ନାଗରିକ ମାନେ ତୁରନ୍ତ ଉକ୍ତ ମିଲ୍ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦାବୀ କରିଛନ୍ତି। ତେବେ ଏନେଇ ସମ୍ପୃକ୍ତ ମିଲ୍ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ବାହାରେ ନୁହେଁ ବରଂ ରାସ୍ତା ପାଶ୍ୱର୍ରେ ଥିବା ନିଜ ଜମି ଭିତରେ ଏହି ବର୍ଜ୍ୟବସ୍ତୁ ବାହାରେ ପକାଉଥିବା ସଫେଇ ଦେଇଛନ୍ତି । ତେବେ ସମସ୍ତଙ୍କ ନଜର ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ସ୍ୱତନ୍ତ୍ର ଟିମ୍ର ତଦନ୍ତ ଉପରେ ରହିଛି। ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ଏବଂ ନିୟମ ଉଲ୍ଲଂଘନକାରୀ ମିଲର୍ସଙ୍କ ବିରୁଦ୍ଧରେ ପ୍ରଶାସନ କି କଡ଼ା ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କର ନଜର ରହିଛି।

