Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

WTC Final: ବର୍ଷା ବିଗାଡ଼ିପାରେ ପଞ୍ଚମ ଦିନର ଖେଳ, କ’ଣ ରିଜର୍ଭ ଡେରେ ହେବ ମ୍ୟାଚ୍ ?

ନୂଆଦିଲ୍ଲୀ: ଲଣ୍ଡନର ଓଭାଲରେ ଖେଳା ଯାଉଥିବା ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୩ର ଫାଇନାଲ୍ ମୁକାବିଲା ରୋମାଞ୍ଚକର ମୋଡ଼ରେ ପହଞ୍ଚି ଯାଇଛି। ଆଜି ଶେଷ ଦିନ ନିର୍ଣ୍ଣାୟକ ସାବ୍ୟସ୍ତ ହେବାକୁ ଯାଉଛି। ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୪୪୪ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି। ଆଜି ପଞ୍ଚମ ଦିନରେ ଭାରତକୁ ଜିତିବା ପାଇଁ ୨୮୦ ରନ ଦରକାର ଥିବା ବେଳେ କଙ୍ଗାରୁ ଦଳ ବିଜୟଠୁ ୭ ଓ୍ଵିକେଟ୍ ଦୂରରେ ରହିଛି। ଦୁଇ ଦଳ ନିକଟରେ ମ୍ୟାଚ୍ ଜିତିବାର ପୂରା ସୁଯୋଗ ରହିଛି। ହେଲେ ପଞ୍ଚମ ଦିନ ଖେଳରେ ବର୍ଷା ବାଧକ ସାଜିପାରେ। ଦ ଓଭାଲରେ ରବିବାର ବର୍ଷା ହେବାର ଆଶଙ୍କା ରହିଛି। ଏମିତି ସ୍ଥିତିରେ କଣ ରିଜର୍ଭ ଡେର ବ୍ୟବହାର କରାଯିବ। ଏହି ପ୍ରଶ୍ନ ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ମନରେ ରହିଛି।

କେମିତି ରହିଛି ଦ ଓଭାଲର ପାଣିପାଗ
ପ୍ରଥମ ୪ ଦିନ ବର୍ଷାର କୌଣସି ସମ୍ଭାବନା ନ ଥିଲା ଏବଂ କ୍ରିକେଟ୍ ପାଇଁ ଅନୁକୂଳ ପରିବେଶ ଥିଲା। ମାତ୍ର ପଞ୍ଚମ ଦିନ ପାଣିପାଗ ଏହାର ବିପରୀତ ରହିଛି। Accuweatherର ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ସମୟ ଅପରାହ୍ଣ ୧୨ଟାରୁ ୯ଟା ପର୍ଯ୍ୟନ୍ତ ୟେଲୋ ଓ୍ଵାର୍ଣ୍ଣିଂ ସହ ଝଡ଼ ତୋଫାନର ସତର୍କ ସୂଚନା ଦିଆଯାଇଛି। ସାରା ଦିନ ୪ ଘଣ୍ଟା ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।
ସ୍ଥାନୀୟ ସମୟାନୁସାରେ ଦିନ ୧୨ଟାରୁ ରାତି ୯ଟା ଯାଏଁ ଦ ଓଭାଲରେ ବର୍ଷା ହେବାର ୯୦ ପ୍ରତିଶତ ସମ୍ଭାବନା ରହିଛି। ଅନ୍ୟପଟେ ଝଡ଼ ତୋଫାନ ହେବାର ୩୬ ପ୍ରତିଶତ ଏବଂ ପୂରା ଦିନ ଆକାଶରେ ବାଦଲ ଛାଇ ରହିବାର ୬୩ ପ୍ରତିଶତ ସମ୍ଭାବନା ରହିଛି।

କଣ ରିଜର୍ଭ ଡେର ବ୍ୟବହାର ହେବ ?
ନିୟମ ଅନୁସାରେ ଗୋଟିଏ ଟେଷ୍ଟ ମ୍ୟାଚକୁ ପୂରା କରିବା ପାଇଁ ୩୦ ଘଣ୍ଟାର ସମୟ ମିଳିଥାଏ। ଯେଉଁଥିରେ ପ୍ରତିଦିନ ୬ ଘଣ୍ଟାରୁ ଅଧିକ ସମୟ ଖେଳ ଖେଳାଯାଏ ଏବଂ ୯୦ ଓଭର ବୋଲିଂ କରାଯାଏ। ଯଦି ଏହି ଦୁଇଟିରୁ ଗୋଟିଏ ବି ସ୍ଥିତି ପୂରା ହେଉନି ତେବେ ରିଜର୍ଭ ଡେର ବ୍ୟବହାର କରାଯାଏ। ଏମିତିରେ ଯଦି ଆଜି ୨ରୁ ୪ ଘଣ୍ଟା ବର୍ଷା ହୁଏ ତେବେ ମ୍ୟାଚ୍ ରିଜର୍ଭ ଡେ ଅର୍ଥାତ ଜୁନ ୧୨ରେ ଖେଳା ଯାଇପାରେ।

ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ କରିଥିଲା। ଜବାବରେ ଭାରତ ୨୯୬ ରନରେ ଅଲଆଉଟ୍ ହୋଇଥିଲା। ଏଥିସହ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଭାରତଠୁ ୧୭୩ ରନରେ ଆଗୁଆ ରହିଥିଲା। ଏହା ପରେ କଙ୍ଗାରୁ ଦଳ ୨୭୦/୮ରେ ଦ୍ଵିତୀୟ ଇନିଂସ ଘୋଷଣା କରିଥିଲା। ଫଳରେ ଭାରତ ସମ୍ମୁଖରେ ରହିଛି ୪୪୪ ରନର ବିଜୟ ଲକ୍ଷ୍ୟ। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ଵିକେଟ୍ ହରାଇ ୧୬୪ ରନ କରିଛି। ଜ୍ରିଜରେ ବିରାଟ କୋହଲି ଏବଂ ଆଜିଙ୍କ୍ୟ ରାହାଣେ ଅପରାଜିତ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ