Naveen Patnaik-VK Pandian Foreign Tours: ବିଦେଶ ଗସ୍ତ ଖର୍ଚ୍ଚର ହେବ Investigation, CM Mohan Majhiଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ IAS ଅଧିକାରୀ ଭି.କେ. ପାଣ୍ଡିଆନଙ୍କ ବିଦେଶ ଗସ୍ତ ଖର୍ଚ୍ଚର ତଦନ୍ତ ହେବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ୨୦୨୨ ଜୁନ୍ରେ ନବୀନ, ପାଣ୍ଡିଆନ ଓ IPS ଅଧିକାରୀ ରବିକାନ୍ତ ୬ ଦିନିଆ ଇଟାଲୀ ଗସ୍ତ କରିଥିଲେ। ଏହି ଗସ୍ତରେ ପ୍ରାୟ ୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦାବି କରାଯାଇଛି। ରୋମ୍ରେ ସେମାନେ ବିଳାସପୂର୍ଣ୍ଣ କାଭାଲିରି ହୋଟେଲର ନେପୋଲିୟନ୍ ସୁଟ୍ରେ ରହିଥିଲେ, ଯାହାର ରାତିକ ପିଛା ଭଡ଼ା ୫ ହଜାର ଡଲାରରୁ ଅଧିକ ବୋଲି କୁହାଯାଇଛି। ଏହାପରେ ୨୦୨୩ ଏପ୍ରିଲ୍ରେ ଇନଭେଷ୍ଟର୍ସ ମିଟ୍ ନାଁରେ ସିଙ୍ଗାପୁର ଓ ଜାପାନ ଗସ୍ତ କରିଥିଲେ। ଏହି ଗସ୍ତ ପାଇଁ ୧ କୋଟି ୬୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦାବି ହୋଇଛି। ଚାର୍ଟର ଫ୍ଲାଇଟ୍ରେ ଯାତ୍ରା କରିଥିବା ସହ ସରକାରୀ ସଂସ୍ଥା OTDC ବଦଳରେ ଘରୋଇ ଏଜେନ୍ସି ମାଧ୍ୟମରେ ଗସ୍ତ ଆୟୋଜନ ହୋଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଏହି ଗସ୍ତଗୁଡ଼ିକରେ ରାଜ୍ୟ ରାଜକୋଷରୁ ହୋଇଥିବା ଖର୍ଚ୍ଚ, ଯାତ୍ରାର ଉଦ୍ଦେଶ୍ୟ ଏବଂ ପାଣ୍ଡିଆନଙ୍କ VRS ପୂର୍ବରୁ ଇଟାଲୀ ଗସ୍ତରେ ଯୋଗଦେବାର କାରଣକୁ ନେଇ ତଦନ୍ତରେ ଯାଞ୍ଚ ହେବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବିଜେଡି ଏହି ତଦନ୍ତକୁ ସ୍ୱାଗତ କରିଛି। ଦଳ କହିଛି, ତଦନ୍ତ ଦ୍ୱାରା ସତ୍ୟ ସାମ୍ନାକୁ ଆସିବା ଉଚିତ। ଏଥିସହ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ, ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବରିଷ୍ଠ ଅଧିକାରୀଙ୍କ ବିଦେଶ ଗସ୍ତ ଖର୍ଚ୍ଚର ମଧ୍ୟ ତଦନ୍ତ କରି ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାକୁ ଦାବି କରିଛି ବିଜେଡି।

