କୋକସରା ବ୍ଲକ ସ୍ତରୀୟ ଯାଦବ ସମାବେଶ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ।
କଳାହାଣ୍ଡି୨୨/୧୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଯାଦବ ସମିତି ପକ୍ଷରୁ ବ୍ଲକସ୍ତରୀୟ ଯାଦବ ମହାସମ୍ମିଳନୀ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମହାଆଡ଼ମ୍ବର ଓ ଉତ୍ସାହ ଉଦ୍ଦୀପନାର ସହ ରବିବାର କୋକସରା ଧାନ ମଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି। ଯାଦବ ସମାଜର ଏକତା, ସଂଗଠନ, ଶିକ୍ଷା ଓ ସାମାଜିକ ଅଧିକାରର ସୁରକ୍ଷା କୁ ଗୁରୁତ୍ୱ ଦେଇ ଆୟୋଜିତ ଏହି ମହାସମ୍ମିଳନୀରେ ବ୍ଲକର ପ୍ରତ୍ୟେକ ଅଞ୍ଚଳରୁ ହଜାର ହଜାର ପୁରୁଷ ଓ ମହିଳାଙ୍କ ସମାଗମ ହୋଇଥିଲା।
କାର୍ଯ୍ୟକ୍ରମ ପୂର୍ବରୁ କୋକସରା ଯୁବ ଯାଦବ ସମିତି ପକ୍ଷରୁ ଆମପାଣି ପ୍ରଭୁ ବୁଢାରଜାଙ୍କ ପୀଠରୁ ବାଇକ ରେଲି ମାଧ୍ୟମରେ ମଶାଲ ଅଣା ଯାଇଥିଲା ଏବଂ କୋକସରା କଲେଜ ଛକଠାରୁ ଧାନମଣ୍ଡି ପର୍ଯ୍ୟନ୍ତ ଏକ ଭବ୍ୟ ଓ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ମଶାଲ ଯାତ୍ରାରେ ବାନାବାଡ଼ି ଓ ସଂକୀର୍ତ୍ତନ ମଣ୍ଡଳୀର ଆକର୍ଷଣୀୟ ବାଦ୍ୟବାଜଣା ସାଙ୍ଗକୁ ‘ଯାଦବ ଏକତା ଜିନ୍ଦାବାଦ’ ଏବଂ ‘ଜୟ ଯାଦବ, ଜୟ ମାଧବ’ ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା।
ବ୍ଲକ ଯାଦବ ସମିତି ସଭାପତି ଦ୍ୱାରିକାନାଥ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ମୁଖ୍ୟ ଅତିଥି, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଡ଼ ସ୍ୱତନ୍ତ୍ର ଅତିଥି ଏବଂ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ ଯୋଗ ଦେଇଥିଲେ। ସେହିପରି ଧର୍ମଗଡ଼ର ପୂର୍ବତନ ବିଧାୟକ ମୌସଧି ବାଗ,କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ପ୍ରଭାକର ହଂସ, ଡମ୍ବରୁ ଖରସେଲ, ଡାକେସ୍ଵର ଲହଜଲ, ବ୍ଲକ ଯାଦବ ସମିତି ଉପସଭାପତି ଲିଙ୍ଗରାଜ ବେହେରା, ଜନ୍ମେଜୟ ଯାଦବ, ଆନନ୍ଦ ଗୋପାଳ, ଲଚମନ ନାୟକ, ଜମିଦାତା ପାର୍ଥ ଗୋପାଳ, ପ୍ରେମଲାଲ ଗୋପାଳ, ମଙ୍ଗଳୁ ଚରଣ ଭାଟି, କୋକସରା ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ଅରକ୍ଷିତ ଭଏସାଳ, ମହିଳା ବ୍ଲକ ସଭାନେତ୍ରୀ ହରିପ୍ରିୟା ନାଗ, ମାଝୀଗୁଡ଼ା ସରପଞ୍ଚ ମାମି ବାଗ ଓ ସମିତିସଭ୍ୟା ନମିତା ଚଣ୍ଡୀ ପ୍ରମୁଖ ମଞ୍ଚାସୀନ ଥିଲେ।
ସଭାରେ ଉପସ୍ଥିତ ବକ୍ତାମାନେ ଭଗବାନ ଶ୍ରୀକୃଷ୍ଣଙ୍କ ମହାନ ଆଦର୍ଶ ସହ ଯାଦବ ସମାଜର ଗୌରବମୟ ଐତିହାସିକ ପରମ୍ପରା, ବୀରତ୍ୱ, ସାହସ ଓ ତ୍ୟାଗର ଗାଥା ସ୍ମରଣ କରିଥିଲେ। ସମାଜର ସାମଗ୍ରିକ ବିକାଶ ପାଇଁ ଶିକ୍ଷାର ପ୍ରସାର, ଆର୍ଥିକ ସଶକ୍ତିକରଣ, ରାଜନୈତିକ ଭାଗିଦାରି, ଯଥୋଚିତ ସଂରକ୍ଷଣ ଓ ସାମାଜିକ ନ୍ୟାୟ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ।
କାର୍ଯ୍ୟକ୍ରମରେ ବ୍ଲକର ୨୦ଟି ଯାଦବ ଅଞ୍ଚଳ କମିଟିର ସଭାପତି ଓ ସମ୍ପାଦକଙ୍କ ସମେତ ସମସ୍ତ ଅଞ୍ଚଳ କମିଟି, ଗ୍ରାମ୍ୟ କମିଟି ଓ ଭାତଗଦି କମିଟିର ସଦସ୍ୟମାନେ ବିପୁଳ ସଂଖ୍ୟାରେ ଯୋଗଦେଇଥିଲେ। ହଜାର ହଜାର ପୁରୁଷ ଓ ମହିଳାଙ୍କ ଉପସ୍ଥିତିରେ ମହାସମ୍ମିଳନୀଟି ଏକ ବିଶାଳ ସାମାଜିକ ମିଳନ ମଞ୍ଚରେ ପରିଣତ ହୋଇଥିଲା।
ସଭାରେ ବ୍ଲକ ସମ୍ପାଦକ ବିଦ୍ୟାଧର ଗହୀର ମଞ୍ଚ ପରିଚାଳନା କରିଥିବାବେଳେ ଯୋଗୀନ୍ଦ୍ର ହଂସ, ଭାଗବତ କଟା ଓ ଟିକେଶ୍ୱର ରାଉତ ସହଯୋଗ କରିଥିଲେ। ଶେଷରେ ଛିଲିପାମାଲ ଅଞ୍ଚଳ ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ନାଗ ଅତିଥିବୃନ୍ଦ ଓ ଉପସ୍ଥିତ ସମସ୍ତ ଯାଦବ ସମାଜର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ପରେ କାର୍ଯ୍ୟକ୍ରମର ସମାପନ ହୋଇଥିଲା।

