Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଲୁବାହାଲ ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଆଧ୍ୟାତ୍ମିକ ପ୍ରବଚନ ଓ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁବାହାଲ ଗ୍ରାମରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଏକ ଭବ୍ୟ ଆଧ୍ୟାତ୍ମିକ ପ୍ରବଚନ ଓ ହୋମଯଜ୍ଞ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସୁଶାନ୍ତ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଆୟୋଜନରେ ଅନୁଷ୍ଠିତ ଏହି ଧାର୍ମିକ ସମାରୋହରେ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗ ରହିଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗ୍ରାମର ମହିଳାମାନଙ୍କ ଦ୍ୱାରା ଏକ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯଜ୍ଞ ମଣ୍ଡପରେ ପହଞ୍ଚିଥିଲା। ଏହାପରେ ବିଧିବିଧାନ ପୂର୍ବକ ହୋମଯଜ୍ଞ ଓ ପୂଜାର୍ଚ୍ଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମଦନାନନ୍ଦ ସେଠ ମୁଖ୍ୟ ପ୍ରବଚକ ଭାବେ ଯୋଗଦେଇ ଆଧ୍ୟାତ୍ମିକ ପ୍ରବଚନ ମାଧ୍ୟମରେ ଶ୍ରଦ୍ଧାଳୁମାନଙ୍କୁ ଭକ୍ତିମାର୍ଗ ଓ ନୈତିକତାର ବାର୍ତ୍ତା ପ୍ରଦାନ କରିଥିଲେ।
ଏହି ଉତ୍ସବରେ ମନ୍ତ୍ରୀଙ୍କ ପ୍ରତିନିଧି ସୁଶୀଲ କର ଏବଂ ସାଂସଦ ପ୍ରତିନିଧି ରୁଦ୍ରପ୍ରତାପ ଦେଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ। ସେହିପରି ସ୍ଥାନୀୟ ସମିତିସଭ୍ୟ ପରେଶ ପଟେଲ ଯଜ୍ଞ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ସାଂସ୍କୃତିକ ଓ ସାହିତ୍ୟିକ କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ୟଙ୍ଗ କବି ପ୍ରମୋଦ ନାଏକ ନିଜର ରସାତ୍ମକ କବିତା ପାଠ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବେଳେ କବି ତଥା ସାମ୍ବାଦିକ ନରେନ୍ଦ୍ର ସାହୁ ନିଜର ସାରଗର୍ଭକ ବକ୍ତବ୍ୟ ରଖିଥିଲେ।
ନିକଟବର୍ତ୍ତୀ ଅଞ୍ଚଳର ମହିଳା କୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ପରିବେଷିତ ହରିନାମ ସଂକୀର୍ତ୍ତନ ସମଗ୍ର ଗ୍ରାମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। କାର୍ଯ୍ୟକ୍ରମ ଶେଷରେ ଆୟୋଜକ କମିଟି ପକ୍ଷରୁ ସମସ୍ତ କଳାକାର ଓ ଅତିଥିମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଧାର୍ମିକ ମହୋତ୍ସବରେ ସ୍ଥାନୀୟ ଅଞ୍ଚଳ ତଥା ଆଖପାଖ ଗ୍ରାମରୁ ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇ ପ୍ରସାଦ ସେବନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories