Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

WTC ଫାଇନାଲ୍ ନ ଖେଳିବା ପରେ ମୁହଁ ଖୋଲିଲେ ଅଶ୍ଵିନ, କହିଲେ- ନିରାଶଜନକ…

ନୂଆଦିଲ୍ଲୀ: ଭାରତୀୟ ଦଳକୁ କ୍ରମାଗତ ଦ୍ଵିତୀୟ ଥର ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍‌ରେ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଭାରତକୁ ଲଣ୍ଡନର ଦ ଓଭାଲ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ୨୦୯ ରନରେ ହରାଇ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ତେବେ ଫାଇନାଲ୍ ମୁକାବିଲାରେ ଚୂଡ଼ାନ୍ତ ଏକାଦଶରେ ଦୁନିଆର ଏକ ନମ୍ବର ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ସ୍ଥାନ ମିଳିନଥିଲା। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଓଭାଲରେ ୪ ଦ୍ରୁତ ବୋଲର ଏବଂ ଜଣେ ସ୍ପିନର ସହ ପଡ଼ିଆକୁ ଓହ୍ଲାଇଥିଲା। ଅଶ୍ଵିନଙ୍କୁ ବାହାରେ ରଖିବା ନେଇ ଦଳ ପ୍ରବନ୍ଧକଙ୍କୁ ଖୁବ୍ ସମାଲୋଚନା କରାଯାଇଛି। କାରଣ ଅଷ୍ଟ୍ରେଲିଆ ଦଳରେ ଅନେକ ବାମହାତୀ ବ୍ୟାଟର ଥିଲେ, ଯାହାଙ୍କ ବିରୋଧରେ ରବିଚନ୍ଦ୍ରନ ଅଶ୍ଵିନ ଘାତକ ସାବ୍ୟସ୍ତ ହୋଇଥାନ୍ତେ।

ଡବ୍ଲ୍ୟୁଟିସିର ଦ୍ଵିତୀୟ ସଂସ୍କରଣର ଫାଇନାଲ୍ ନ ଖେଳିବା ପରେ ଅଶ୍ଵିନ ନିରବତା ଭାଙ୍ଗିଛନ୍ତି। ସେ ଅଷ୍ଟ୍ରେଲିଆକୁ ଟାଇଟଲ୍ ଜିତିବା ନେଇ ଅଭିନନ୍ଦନ ଜଣାଇଛନ୍ତି ଏବଂ ଭାରତୀୟ ଖେଳାଳିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଅଶ୍ଵିନ୍ ଟୁଇଟ୍ କରି ଲେଖିଛନ୍ତି, ଅଷ୍ଟ୍ରେଲିଆକୁ ଡବ୍ଲ୍ୟୁଟିସି ଫାଇନାଲ୍ ଜିତିବା ଏବଂ ଟେଷ୍ଟ କ୍ରିକେଟ୍‌ର ଏହି ଚକ୍ର ସମାପନ କରିବା ନେଇ ଶୁଭେଚ୍ଛା ଜଣାଇଛନ୍ତି। କିଛି ଜିନିଷ ଭୁଲ୍ ସହ ସମାପ୍ତ ହେବା ନିରାଶଜନକ ରହିଛି। ମାତ୍ର ଗତ ଦୁଇ ବର୍ଷରେ ପ୍ରଥମ ସ୍ଥାନକୁ ଆସିବାରେ ଚମତ୍କାର ପ୍ରୟାସ ରହିଥିଲା। ସମସ୍ତ ଅରାଜକତା ଏବଂ କଠୋର ସମାଲାଚନା ମଧ୍ୟରେ ମୋତେ ଲାଗୁଛି ଏହି ଚକ୍ରରେ ଖେଳିଥିବା ମୋର ସମସ୍ତ ସାଥୀ ଖେଳାଳି ଏବଂ ସବୁଠୁ ଗୁରୁତ୍ଵପୂର୍ଣ୍ଣ କୋଚିଂ ଏବଂ ସହାୟକ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ଚଟାଣ ପରି ମଜବୁତ ଥିଲେ।

ସୂଚନାଯୋଗ୍ୟ, ଅଶ୍ଵିନ ଡବ୍ଲ୍ୟୁଟିସିର ଦ୍ଵିତୀୟ ଚକ୍ରରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ଭାରତୀୟ ବୋଲର। ସେ ୧୩ଟି ଟେଷ୍ଟରୁ ୬୧ଟି ଓ୍ଵିକେଟ୍ ନେଇଛନ୍ତି। ସଂପ୍ରତି ସେ ଆଇସିସି ଟେଷ୍ଟ କ୍ରିକେଟ୍‌ରେ ଏକ ନମ୍ବର ବୋଲର। ତେଣୁ ଅଶ୍ଵିନଙ୍କୁ ଚୂଡାନ୍ତ ଏକାଦଶରୁ ବାହାରେ ରଖିବା ନେଇ ଅନେକ ପୂର୍ବତନ ଖେଳାଳି ଏବଂ କ୍ରିକେଟ୍ ବିଶେଷଜ୍ଞ ଆଶ୍ଚର‌୍ୟ୍ୟ ପ୍ରକାଶ କରିଥିଲେ। ଏପରିକି ମହାନ ବ୍ୟାଟର ସଚିନ ତେନ୍ଦୁଲକର ଫାଇନାଲ୍ ପରେ କହିଛନ୍ତି ଯେ, ଚୂଡାନ୍ତ ଏକାଦଶରୁ ଅଶ୍ଵିନଙ୍କୁ ବାହାରେ ରଖିବାର ନିଷ୍ପତ୍ତିକୁ ମୁଁ ବୁଝି ପାରୁନି। ଏହା ଭୁଲିବା ଉଚିତ୍ ନୁହେଁ ଯେ, ଅଷ୍ଟ୍ରେଲିଆର ଟପ୍-୮ରୁ ୫ ଜଣ ବାମହାତୀ ବ୍ୟାଟର ଥିଲେ।