ଆହୁରି ବଢିବ ତାତି; ସକାଳ ୫ଟା ୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୩୦.୨ ଡିଗ୍ରୀ


ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ସକାଳୁ ଅସମ୍ଭାଳ ତାତିକୁ ଅସହ୍ୟ ଗୁଳୁଗୁଳି। ଖରାରେ ସିଝୁଛି ସାରା ଓଡ଼ିଶା। ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ରାଜ୍ୟବାସୀ। ଆଜି ସକାଳ ୫ଟା ୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୩୦.୨ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ସହ ଆର୍ଦ୍ରତା ୯୨ ପ୍ରତିଶତ ରେକର୍ଡ ହୋଇଛି । ସମଗ୍ର ରାଜ୍ୟରେ ଏଭଳି ଗୁଳୁଗୁଳି ଅନୁଭୂତ ହେଉଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସମାନ ପରିସ୍ଥିତି ଜାରି ରହିବ। ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

୧୮ ତାରିଖ ଯାଏଁ ପ୍ରଚଣ୍ଡ ତାତି ଅନୁଭୂତ ହେବ। କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ୬ରୁ ୭ ଡିଗ୍ରୀ ଅଧିକ ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଏହା ପରେ ତାତି କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଗତକାଲି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୨ ଦଶମିକ ୪ ଡିଗ୍ରୀ ରେକର୍ଡ କରାଯାଇଥିଲା ।