ଦିଗପହଣ୍ଡିରେ ଶୋକର ଛାୟା; ୧୨ ମୃତକଙ୍କ ମଧ୍ୟରୁ ୧୧ ଜଣ ପୂର୍ବତନ ସାଂସଦଙ୍କ ସମ୍ପର୍କୀୟ 


ଗଞ୍ଜାମ: ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ସମ୍ମୁଖରେ ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଗଲା ୧୨ ଜଣଙ୍କ ଜୀବନ। ସମଗ୍ର ଦିଗପହଣ୍ଡିରେ ଶୋକର ଛାୟ । କାନ୍ଦବୋବାଳିରେ ଫାଟି ପଡୁଛି ଡାକ୍ତରଖାନା ।

ତେବେ ଏହି ମୃତକଙ୍କ ମଧ୍ୟରେ ଅଛନ୍ତି ୬ ପୁରୁଷ. ୪ ମହିଳା ଓ ୨ଜଣ ଛୋଟ ପିଲା । ସୂଚନା ଅନୁଯାୟୀ ୧୨ ମୃତକଙ୍କ ମଧ୍ୟରୁ ୧୧ ଜଣ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ ବୋଲି ଜଣାଯାଇଛି । ଏମାନଙ୍କ ମଧ୍ୟରେ ରେଣୁବାଳାଙ୍କ ଦିଅର, ୨ ଝିଆରୀ ଓ ନାତି ଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମ୍ପର୍କୀୟ ଥିବା ମଧ୍ୟ କୁହଯାଉଛି ।

ଏହି ଦୁର୍ଘଟଣାରେ ୭ ଜଣଙ୍କ ଅବସ୍ଥା ଗୁରତର ରହିଛି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଏମକେଏସଜିରେ ଭର୍ତ୍ତି କରାଯାଇଛି । ଆଉ ଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସୂଚନାଥାଉ କି, ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ସମ୍ମୁଖରେ ରବିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି ।  ବ୍ରହ୍ମପୁରରେ ଏକ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଏକ ମିନି ବସ୍ ଦିଗପହଣ୍ଡି ଆଡ଼କୁ ଯାଉଥିଲା । ଏହି ସମୟରେ ବିପରିତ ଦିଗ ଅର୍ଥାତ ଗୁଡ଼ାରୀ ରାୟଗଡ଼ ପଟରୁ ଓଏସଆରଟିସିର ଏକ ବସ୍ ଆସୁଥିଲା । ରାତି ପ୍ରାୟ ଗୋଟାଏ ବେଳେ ଖେମୁଣ୍ଡି କଲେଜ ସମ୍ମୁଖରେ ଉଭୟ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା ।