Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଜ ଦମରେ ଭାରତକୁ ଟେଷ୍ଟ ସିରିଜ୍ ଜିତାଇଥିଲେ ହରଭଜନ, ଆଜି ଯାଏ ଭାଙ୍ଗି ନାହିଁ ତାଙ୍କ ବିଶ୍ଵ ରେକର୍ଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଫସ୍ପିନର ହରଭଜନ ସିଂ ଆଜି ନିଜର ୪୩ତମ ଜନ୍ମ ଦିବସ ପାଳନ କରୁଛନ୍ତି। ଭାରତ ପାଇଁ ପାଖାପାଖି ୧୮ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ଥିବା ହରଭଜନ ସିଂଙ୍କ ନାମରେ ଅନେକ ରେକର୍ଡ ରହିଛି। ଗୋଟିଏ ବିଶ୍ଵ ରେକର୍ଡ ସେ ୨୦୦୧ରେ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ କୌଣସି ବୋଲର ଭାଙ୍ଗି ପାରି ନାହାନ୍ତି। ଭଜି ଟେଷ୍ଟ କ୍ରିକେଟରେ ଲଗାତାର ୪ଟି ଇନିଂସରେ ୬ କିମ୍ବା ତଦୁର୍ଦ୍ଧ୍ଵ ଓ୍ଵିକେଟ୍ ନେବାରେ ଏକ ମାତ୍ର ବୋଲର।

ଜଳନ୍ଧରରେ ଜନ୍ମିତ ହରଭଜନ ସିଂ ସଂପ୍ରତି ଭାଷ୍ୟକାର ଏବଂ କ୍ରିକେଟ୍ ବିଶେଷଜ୍ଞ ଭାବେ କ୍ରିକେଟରେ ଜଡ଼ିତ ଅଛନ୍ତି। ହେଲେ ଭାରତକୁ ସେ ଅନେକ ସ୍ମରଣୀୟ ମ୍ୟାଚ୍ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ହରଭଜନ ସିଂ ଦୁନିଆର ଏକମାତ୍ର ବୋଲର ଯିଏ ନିଜ ଦମରେ ନିଜ ଦେଶକୁ ଟେଷ୍ଟ ସିରିଜ୍ ଜିତାଇଛନ୍ତି। ଏହି ସିରିଜ୍ ୨୦୦୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ଥିଲା।

ହରଭଜନଙ୍କୁ ଏହି ସିରିଜରେ ଏଥିପାଇଁ ମନେ ରଖାଯାଉଛି କାରଣ ପ୍ରଥମ ମ୍ୟାଚ୍ ଭାରତ ପରାସ୍ତ ହୋଇଥିଲା। ହେଲେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପବବର୍ତ୍ତୀ ୨ଟି ମ୍ୟାଚ୍ ଜିତି ଭାରତକୁ ସେ ୨-୧ରେ ସିରିଜ୍ ଜିତାଇଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଉକ୍ତ ସିରିଜରେ ଭାରତ ପାଇଁ ହରଭଜନ ସିଂ ଯେତେ ଓ୍ଵିକେଟ୍ ନେଇଛନ୍ତି, ତାର ୧୦ ପ୍ରତିଶତ ଓ୍ଵିକେଟ୍ ବି ଅନ୍ୟ ବୋଲର ନେଇ ପାରି ନ ଥିଲେ।

ହରଭଜନ ସିଂ ଉକ୍ତ ସିରିଜରେ ମୋଟ୍ ୩୨ ଓ୍ଵିକେଟ୍ ଦଖଲ କରିଥିଲେ। ଭାରତ ପାଇଁ ଦ୍ଵିତୀୟ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ଥିଲେ ସଚିନ ତେନ୍ଦୁଲକର ଏବଂ ଜାହିର ଖାନ। ଦୁଇ ବୋଲର ୩ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ହରଭଜନ କୋଲକାତା ଟେଷ୍ଟରେ ପ୍ରଥମ ଇନିଂସରେ ୭ ଏବଂ ଦ୍ଵିତୀୟ ଇନିଂସରେ ୬ ଓ୍ଵିକେଟ୍ ହାସଲ କରିଥିଲେ। ଏହିପରି ଚେନ୍ନାଇରେ ପ୍ରଥମ ଇନିଂସରେ ୭ ଏବଂ ଦ୍ଵିତୀୟ ଇନିଂସରେ ୮ ଓ୍ଵିକେଟ୍ ନେଇଥିଲେ, ଯାହା ଆଜି ମଧ୍ୟ ବିଶ୍ଵରେକର୍ଡ ହୋଇ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ