Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ଦଳର ମୁଖ୍ୟ କୋଚ୍ ହେବେ ଭିଭିଏସ ଲକ୍ଷ୍ମଣ, ଏହି ଗସ୍ତରେ ସମ୍ଭାଳିବେ ଦାୟିତ୍ଵ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ରହିଛି। ଓ୍ଵେଷ୍ଟଇଣ୍ଡିଜ ଗସ୍ତ ସରିବା ପରେ ଦଳ ଆୟରଲାଣ୍ଡ ଯାତ୍ରା କରିବ। ଏହି ଗସ୍ତରେ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ଏବେ ଆୟରଲାଣ୍ଡ ଗସ୍ତକୁ ନେଇ ଆସିଛି ବଡ଼ ଖବର।

କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ର ମୁଖ୍ୟ ଭିଭିଏସ ଲକ୍ଷ୍ମଣ ଆୟରଲାଣ୍ଡ ଗସ୍ତରେ ଭାରତୀୟ ଦଳର ମୁଖ୍ୟ କୋଚ୍ ରହିବେ। ନିୟମିତ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼, ବ୍ୟାଟିଂ କୋଵ୍ ବିକ୍ରମ ରାଠୋର, ବୋଲିଂ କୋଚ୍ ପାରସ ମହାମ୍ବ୍ରେଙ୍କୁ ଆଗାମୀ ଏସିଆ କପ୍ ଏବଂ ଦିନିକିଆ ବିଶ୍ଵକପକୁ ଦୃଷ୍ଟିରେ ରଖି ବିଶ୍ରାମ ଦିଆଯିବ।

ଆୟରଲାଣ୍ଡ ଗସ୍ତରେ ସୀତାଂଶୁ କୋଟାକ ଏବଂ ଋଷିକେଶ କନିତକରଙ୍କ ମଧ୍ୟରୁ ଜଣଙ୍କୁ ବ୍ୟାଟିଂ କୋଚର ଦାୟିତ୍ଵ ମିଳିପାରେ। ଅନ୍ୟପଟେ ସାଇରାଜ ବହୁତୁଲେ ଏବଂ ଟ୍ରାଏ କୁଲିଙ୍କ ମଧ୍ୟରୁ ଜଣଙ୍କୁ ବୋଲିଂ ପ୍ରଶିକ୍ଷକ କରାଯାଇପାରେ। ଉଲ୍ଲେଖଯୋଗ୍ୟ, ଭିଭିଏସ ଲକ୍ଷ୍ମଣ ଗତ ବର୍ଷ ମଧ୍ୟ ରାହୁଲ ଦ୍ରାବିଡ଼ଙ୍କ ଅନୁପସ୍ଥିତିରେ ଆୟରଲାଣ୍ଡ ଏବଂ ନ୍ୟୁଜିଲାଣ୍ଡ ଗସ୍ତରେ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ଵ ସମ୍ଭାଳିଥିଲେ।

ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ନାହିଁ। ମାତ୍ର ଆଶା କରାଯାଉଛି ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ଵ ନେଇ ପାରନ୍ତି। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସହ ଆଲୋଚନା କରିବା ପରେ ଦଳ ଘୋଷଣା କରି ପାରନ୍ତି। ଆଶା କରାଯାଉଛି, ଅଗରକର ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ୨ୟ ଟେଷ୍ଟରେ ଭାରତୀୟ ଦଳ ସହ ଯୋଗ ଦେଇ ପାରନ୍ତି। ଚୟନ କମିଟିର ସଦସ୍ୟ ସଲିଲ ଅଙ୍କୋଲା ପୂର୍ବରୁ ଭାରତୀୟ ଦଳ ସହ ରହିଛନ୍ତି।

ଆୟରଲାଣ୍ଡ ସିରିଜ୍ ପାଇଁ ଯଶପ୍ରୀତ ବୁମରାଙ୍କୁ ଦଳରେ ଚୟନ କରାଯିବାର ଆଶା କରାଯାଉଛି। ବୁମରା ବେଙ୍ଗାଲୁରୁ ସ୍ଥିତ ଏନସିଏରେ ଝାଳବୁହା ଅଭ୍ୟାସ ଚଳାଇଛନ୍ତି। ସେ ନେଟ୍ସରେ ୮-୧୦ ଓଭର ବୋଲିଂ କରୁଛନ୍ତି। ତେବେ ଶ୍ରେୟସ ଆୟର କେବେ ଦଳକୁ ଫେରିବେ ତାହା ସ୍ପଷ୍ଟ ଜଣା ପଡିନାହିଁ। କେଏଲ ରାହୁଲ ମଧ୍ୟ ଆୟରଲାଣ୍ଡ ଗସ୍ତ ପାଇଁ ଫିଟ୍ ହେବାର ସମ୍ଭାବନା ନାହିଁ। ରାହୁଲ ସଂପ୍ରତି ଏନସିଏରେ ପୁନଃଥଇଥାନ ପ୍ରକ୍ରିୟାରେ ଅଛନ୍ତି ଏବଂ ଅଦ୍ୟାବଧି ବ୍ୟାଟିଂ ଅଭ୍ୟାସ୍ ଆରମ୍ଭ କରି ନାହାନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ