Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

World cup 2023: ଅକ୍ଟୋବର ୧୫ରେ ହେବନି ଭାରତ-ପାକ୍ ମୁକାବିଲା, ଏହି ଦିନ ଖେଳା ଯାଇପାରେ ମ୍ୟାଚ୍

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅହମ୍ମଦାବାଦରେ ଦିନିକିଆ ବିଶ୍ଵକପର ବହୁପ୍ରତୀକ୍ଷିତ ମୁକାବିଲା ନବରାତ୍ରର ପ୍ରଥମ ଦିନରେ ହେଉଥିବା କାରଣରୁ ତାରିଖ ପରିବର୍ତ୍ତନ କରାଯାଇପାରେ। କୁହାଯାଉଛି ଅକ୍ଟୋବର ୧୪ ତାରିଖରେ ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ଆୟୋଜନ କରାଯାଇପାରେ। ଯଦି ଏମିତି ହୁଏ ତେବେ ଦର୍ଶକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ।

ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଏବଂ ବିସିସିଆଇ ଗତ ମାସରେ ବିଶ୍ଵକପର ଖେଳସୂଚୀ ଘୋଷଣା କରିଥିଲେ। ଆଉ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅକ୍ଟୋବର ୧୫ ତାରିଖରେ ଖେଳାଯିବ ବୋଲି ନିର୍ଦ୍ଧାରିତ ହୋଇଥିଲା। ଏହା ପରଠୁ ଅହମ୍ମଦାବାଦ ପାଇଁ ବିମାନଠୁ ନେଇ ହୋଟେଲ୍ ବୁକିଂର ଦର ଆକାଶଛୁଆଁ ରହିଛି। ଏବେ ଗୋଟିଏ ଦିନ ପୂର୍ବରୁ ମ୍ୟାଚ୍ ଆୟୋଜନ କରାଗଲେ ଦର୍ଶକ କେଉଁଭଳି ସମସ୍ୟା ଭୋଗିବେ ତାହା କଳ୍ପନା ବାହାରେ।

ବିସିସିଆଇ ଏକ ସୂତ୍ର ଅନୁଯାୟୀ, ଅକ୍ଟୋବର ୧୫ ତାରିଖ ହେଉଛି ନବରାତ୍ରର ପ୍ରଥମ ଦିନ। ତେଣୁ ସୁରକ୍ଷା ଏଜେନ୍ସି ରାୟ ଦେଇଛନ୍ତି ଯେ, ମ୍ୟାଚ୍ ଗୋଟିଏ ଦିନ ପୂର୍ବରୁ ଖେଳାଯାଉ, କାରଣ ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବାକୁ ପଡ଼ିବ। ଆଇସିସି ସୂତ୍ର ଅନୁଯାୟୀ, ଏହା ଉପରେ ଆଲୋଚନା କରିବାକୁ ପଡ଼ିବ। ଯଦି କୌଣସି ପରିବର୍ତ୍ତନ କରାଯିବ ତେବେ ଏହା ଉପରେ ବିଚାର କରାଯିବ।

ଏହା ମଧ୍ୟରେ ବିସିସିଆଇ ବିଶ୍ଵକପ୍ ମ୍ୟାଚ୍ ଆୟୋଜନକାରୀ ସମସ୍ତ ରାଜ୍ୟ ସଂଘର ବୈଠକ ଡକାଇଛି। ଏଥିରେ ଭାରତ ଏବଂ ପାକିସ୍ତାନ ମ୍ୟାଚର ତାରିଖ ପରିବର୍ତ୍ତନ ଉପରେ ଆଲୋଚନା ହୋଇପାରେ। ଭାରତ ବିଶ୍ଵକପରେ ନିଜର ପ୍ରଥମ ମ୍ୟାଚ୍ ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଅନ୍ୟପଟେ ପାକିସ୍ତାନର ୨ଟି ମ୍ୟାଚ୍ ଅକ୍ଟୋବର ୬ ଏବଂ ଅକ୍ଟୋବର ୧୨ ତାରିଖରେ ହାଇଦ୍ରାବାଦରେ ରହିଛି। ଯଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଗୋଟିଏ ଦିନ ପୂର୍ବରୁ କରାଯାଏ ତେବେ ବାବର ଆଜମଙ୍କ ଦଳକୁ ଅଭ୍ୟାସ୍ ପାଇଁ ଗୋଟିଏ ଦିନ କମ ସମୟ ମିଳିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ