Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗଡ଼ରେ ମାଓବାଦୀ କଲେ ଉପସ୍ଥିତି ଜାହିରଗ : ଗାଁ ଗାଁରେ ସହିଦ ଦିବସ ପାଳନ ପାଇଁ ଆହ୍ବାନ

ଅତାବିରା /ବରଗଡ଼,୨୬ା୭: ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ମାଓବାଦୀମାନେ ଦୀର୍ଘଦିନର ବ୍ୟବଧାନ ପରେ ପୁଣି ସେମାନଙ୍କ ସ୍ଥିତି ଜାହିର୍‌ କରିଛନ୍ତି । ବୁଧବାର ସକାଳୁ ଜାମସେଠ ଗ୍ରାମର ବସଷ୍ଟାଣ୍ଡ ନିକଟ ବୁଲାଣି ରାସ୍ତା ପାର୍ଶ୍ୱରେ ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟରଗୁଡ଼ିକ ଓଡ଼ିଆ ଏବଂ ହିନ୍ଦୀଭାଷାରେ ଲେଖାଯାଇଛି । ଓଡ଼ିଆ ଭାଷାରେ ଲେଖାଥିବା ପୋଷ୍ଟରରେ ଆସନ୍ତା ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଗାଁ ଗାଁରେ ସହିଦ ସପ୍ତାହ ପାଳନ କରିବାକୁ ମାଓବାଦୀମାନେ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି । ସେହିପରି ହିନ୍ଦୀଭାଷାରେ ଲେଖାଥିବା ପୋଷ୍ଟରରେ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ କଡ଼ା ଚେତାବନୀ ଦିଆଯାଇଛି। ଏଥିରେ ସରପଞ୍ଚ, ସମିତିସଭ୍ୟ ଏବଂ ଠିକାଦାରଙ୍କୁ ଟାର୍ଗେଟ୍‌ କରାଯାଇଛି। ଜେସିବି ମେଶିନ ବଦଳରେ ଶ୍ରମିକଙ୍କୁ ଲଗାଇ କାମ କରିବା ଏବଂ ଦୈନିକ ୪୦୦ ଟଙ୍କା ଲେଖାଏ ମଜୁରୀ ଦେବାକୁ ଠିକାଦାରଙ୍କ ଉଦ୍ଦେଶ୍ୟରେ ପୋଷ୍ଟରରେ ଲେଖାଯାଇଛି। ସେହିପରି ସରପଞ୍ଚ, ସମିତିସଭ୍ୟ, ଓ୍ବାର୍ଡସଭ୍ୟଙ୍କ ଉଦ୍ଦେଶ୍ୟଥି ଲେଖାଥିବା ପୋଷ୍ଟରରେ ଠିକାକାମରେ ମୁଣ୍ଡ ନ ପୂରାଇ ଜନସେବା କରିବା ପାଇଁ କୁହାଯାଇଛି। ଏଥିରେ ଖିଲାପ କଲେ ସମ୍ପୃକ୍ତ ଠିକାଦାର, ସରପଞ୍ଚ, ସମିତିସଭ୍ୟ, ଓ୍ବାର୍ଡସଭ୍ୟଙ୍କୁ ପ୍ରଜାକୋର୍ଟରେ ଦଣ୍ଡିତ କରାଯିବ ବୋଲି ଚେତାବନୀ ଦିଆଯାଇଛି। ପୋଷ୍ଟରରେ ପାଇକମାଳ ବ୍ଲକର ମିଠାପାଲି, ବରତୁଣ୍ଡା, ଜାମସେଠ, ଛିନ୍ଦେଇକେଲା, ମାଣ୍ଡୋସିଲ, ଝାରବନ୍ଧ ପଞ୍ଚାୟତର ନାମ ରହିଛି। କିଛିଲୋକ ଗୁଣ୍ଡାଗର୍ଦ୍ଦି କରି ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବା ସତ୍ତ୍ବେ ପୋଲିସ ମାମଲା ରୁଜୁ କରୁ ନାହିଁ, ଏଭଳି ସ୍ଥଳେ ସମ୍ପୃକ୍ତ ଲୋକେ ଗୁଣ୍ଡାଗର୍ଦ୍ଦି ନ ଛାଡ଼ିଲେ ସେମାନଙ୍କୁ ମଧ୍ୟ ପ୍ରଜାକୋର୍ଟରେ ଦଣ୍ଡିତ କରାଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ପୋଷ୍ଟର ତଳେ ବଲାଙ୍ଗୀର-ବରଗଡ଼-ମହାସମୁଦ ଡିଭିଜନ ମାଓବାଦୀ କମିଟି ବୋଲି ଲେଖାଯାଇଛି। ଖବର ପାଇ ବୁଧବାର ସକାଳୁ ପାଇକମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟରଗୁଡ଼ିକୁ ଜବତ ସହିତ ତଦନ୍ତ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ