Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରିଜ ନିର୍ମାଣ ହେବ କେବେ

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକର ନାଗପଡା ଗ୍ରାମ ପଞ୍ଚାୟତ। ଏହି ପଞ୍ଚାୟତର ଅଧିକାଂଶ ବ୍ୟକ୍ତି ଆଦିବାସୀ ପରିବାରର। ପଞ୍ଚାୟତର ଖୋଲିଭିତର ଓ ଭୁଇଁପାଣି ଗାଁ ସହ ଦୁଇ ପଡା ଗ୍ରାମର ଲୋକେ ଅକଥନୀୟ ଦୁଃଖ ଭୋଗ କରୁଛନ୍ତି।ଏମାନଙ୍କ ଦୁଃଖ ହେଲା ଇନ୍ଦ୍ର ନଦୀ।ଭୂଇଁପାଣି ଗ୍ରାମ ପାଖେ ଯାଇଥିବା ଇନ୍ଦ୍ରନଦୀ କପାଟଦୋରୋ ନାମକ ସ୍ଥାନରେ ବୁଲିକି ପୁଣିଥରେ ଯାଇଛି।ବୁଲାଣି ଜାଗାରେ ପର୍ଯ୍ୟଟନ ସ୍ଥଳୀ ଉପକା ଗଙ୍ଗା ଥିବାରୁ ସେହି ସ୍ଥାନକୁ ଉପକାଗଙ୍ଗା ଘାଟ କୁହାଯାଏ।ଫଳରେ ଖୋଲି ଭିତର ଗ୍ରାମବାସୀ ଏହି ବୁଲାଣି ନଇଁରେ ଥରେ ପାର ହେଉଥିବା ବେଳେ ବାକି ତିନିଖଣ୍ଡ ଗ୍ରାମର ଲୋକେ ଦୁଇଥର ନଦୀ ପାର ହୁଅନ୍ତି। ନଦୀ ପାଇଁ ଏମାନଙ୍କ ଦୁଃଖ କହିଲେ ନସରେ। ପିଡ଼ିଏସ ଚାଉଳ, ଭତ୍ତା ଓ ବିଭିନ୍ନ କାମରେ ଗ୍ରାମ ପଞ୍ଚାୟତ ଆସିବାକୁ ପଡେ। ପାଣି ସୁଅ କମ ଥିଲେ ପିଡ଼ିଏସ ପାଇଁ ଆସନ୍ତି ଓ ଥରେ ଚାଉଳ ନେଇ ଆର ପାରିରେ ରଖିଲା ପରେ ପୁଣିଥରେ ସାଇକେଲ ନେଇ ପାର ହୁଅନ୍ତି। ପାଣି ବଢିଲେ ଦୁଇ ତିନି ମାସ ଜଳବନ୍ଦୀ ଜୀବନ ଜିଇଁବାକୁ ପଡ଼େ। ସେହି ସମୟରେ ଭଗବାନ ହିଁ ସେମାନଙ୍କ ଭରସା। ସେହିପରି କେହି ରୋଗରେ ପଡିଲେ କିବା ପ୍ରସବ ଯନ୍ତ୍ରଣା ପାଇଲେ ଦୋଳାରେ ବୋହି ପାର କରାଇବାକୁ ହୁଏ ଓ ଉପକା ଗଙ୍ଗା ଘାଟରୁ ଆମ୍ବୁଲାନ୍ସ କିବା ଭଡା ଗାଡ଼ିରେ ଡାକ୍ତରଖାନା ନେବାକୁ ପଡେ। ସେହିପରି ବୃଦ୍ଧବୃଦ୍ଧା ମାନେ ଭତ୍ତା ପାଇଁ ନଦୀ ପାର ହେଉଥିବା ଦୃଶ୍ୟ ଦୁଃଖ ଦାୟକ ନିଶ୍ଚୟ। ନଦୀ ପାଇଁ ଅଧିକାଂଶ ଶିଶୁ ହାଇସ୍କୁଲ ଯାଇ ପାରନ୍ତି ନାହିଁ। ଅବଶ୍ୟ ଆଦିବାସୀ ଛାତ୍ରଛାତ୍ରୀ ମାନେ ନାଗପଡାରେ ଥିବା ହୋଷ୍ଟେଲରେ ରହନ୍ତି। ଗ୍ରାମବାସୀ ମାନେ ବୋଡେ଼ନ କିବା ନୂଆପଡା ଯିବାକୁ ନାନା ଅସୁବିଧା ଭୋଗ କରୁଥିବା ବେଳେ ସରକାରୀ ସୁବିଧାସୁଯୋଗ ରୁ ବଞ୍ଚିତ ହେଉଛନ୍ତି।ମୋବାଇଲ ନେଟୱାର୍କ ନଥିବାରୁ ବାହାର ଲୋକଙ୍କ ସହ ସମ୍ପର୍କ ଯୋଡି ହୁଏ ନାହିଁ। ବିଜୁ ସେତୁ ଯୋଜନାରେ ନଦୀ ଉପରେ ପୋଲ ନିର୍ମାଣ କରି ଲୋକଙ୍କୁ ଅନ୍ୟ ଗ୍ରାମ ସହ ଯୋଡିବାକୁ ସରକାର ଚେଷ୍ଟା କରୁଛନ୍ତି। କିନ୍ତୁ ଏହି ଗ୍ରାମବାସୀ ମାନେ ଶହ ଶହ ବର୍ଷ ଧରି ଜଳବନ୍ଦୀର ଜୀବନ ବଞ୍ଚୁଥିଲେ ମଧ୍ୟ ସରକାର ଶୁଣୁ ନାହାନ୍ତି। ଉପକା ଗଙ୍ଗା ତଳେ ଏକ ବ୍ରିଜ ନିର୍ମାଣ ପାଇଁ ଭୂମି ପୂଜନ ସରିଥିଲେ ମଧ୍ୟ ସେହି ବାଟ ଦେଇ ନାଗପଡା ଆସିବାକୁ ଦୂର ପଡ଼ୁଥିବାରୁ ଲୋକେ ଭୂଇଁ ପାଣି ଘାଟ ଓ ଉପକାଗଙ୍ଗା ଘାଟରେ ବ୍ରିଜ ନିର୍ମାଣ ପାଇଁ ଦାବି କରୁଛନ୍ତି। ଏନେଇ ଅଧିକ୍ଷଣ ଯନ୍ତ୍ରୀ ଗଜେନ୍ଦ୍ର ପ୍ରଧାନ କୌଣସି ମନ୍ତବ୍ୟ ଦେବାକୁ ମନା କରିଥିବା ବେଳେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଏନେଇ ସେ ବିଧାନସଭାରେ ପ୍ରଶ୍ନ ଉଠାଇବା ସହ ବିଭାଗୀୟ କର୍ମକର୍ତ୍ତାଙ୍କୁ ଚିଠି ଲେଖିଥିବା କହିଛନ୍ତି ଓ ଶୀଘ୍ର ଏହି ସ୍ଥାନରେ ବ୍ରିଜ ନିର୍ମାଣ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ