ଖଲ୍ଲିକୋଟ ବ୍ଲକ ର ଦୁଇ ଦାଦନ ଶ୍ରମିକଙ୍କ ବିଦେଶ ରେ ମୃତ୍ୟୁ, ଇଥିଓପିଆ ରେ ମୃତ ବଳିଆ ଙ୍କ ଶବ ଗାଁ କୁ ଫେରିଲା


ଖଲ୍ଲିକୋଟ–୧୧/୦୮– ଗତ ୧୫ ଦିନ ମଧ୍ୟରେ ଖଲ୍ଲିକୋଟ ବ୍ଳକ ର ଦୁଇ ଦାଦନ ଶ୍ରମିକଙ୍କ ବିଦେଶରେ ମୃତ୍ୟୁ ହୋଇଛି ।ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମହେଶ୍ବର ପୁର ଗ୍ରାମର ବଳିଆ ପ୍ରଧାନ ଙ୍କ ଇଥିଓପିଆ ରେ ଗତ ଶନିବାର ଦିନ ମୃତ୍ୟୁ ହୋଇଥିବା ବେଳେ ମାଣିକ୍ୟପୁର ଗ୍ରାମର ରାଜୁ ମଲ୍ଲିକ ଙ୍କ ସୋମବାର ଦିନ ମୃତ୍ୟୁ ଘଟିଛି ।ତେବେ ବଳିଆ ପ୍ରଧାନ ଙ୍କ ମରଶରୀର ବୁଧବାର ମଧ୍ୟରାତ୍ରରେ ନିଜ ଗ୍ରାମ ମହେଶ୍ବରପୁର ରେ ପହଞ୍ଚି ଥିବା ବେଳେ ମାଣିକ୍ୟପୁର ର ରାଜୁ ମଲ୍ଲିକ ଙ୍କ ମୃତଦେହ ଏ ପର୍ଯ୍ୟନ୍ତ ଗାଁ କୁ ଫେରି ପାରିନି ।ଜିଲ୍ଲା ପ୍ରଶାସନ ଓ ମୋ ପରିବାର ପକ୍ଷରୁ ରାଜୁ ଙ୍କ ମୃତଦେହ କୁ ଗାଁ କୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି ।ମହେଶ୍ବର ପୁର ଗ୍ରାମ ର ଲୋକାପ୍ରଧାନ ଙ୍କ ପୁଅ ବଳିଆ ପ୍ରଧାନ(୩୫) ଆଫ୍ରିକାନ ଦେଶ ଇଥିଓପିଆ କୁ ଦାଦନ ଶ୍ରମିକ ରୂପେ କାମ କରିବା ପାଇଁ ଗତ ଏକବର୍ଷ ତଳେ ଯାଇଥିଲେ। ଗତକାଲି କମ୍ପାନୀ ରେ କାମ ସାରି ଘରକୁ ଫେରିବା ପରେ ଅସୁସ୍ଥତା ଅନୁଭବ କରିଥିଲେ ।ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡ଼ିକାଲ କୁ ନିଆଯାଇଥିଲା ।ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଦୁଃଖଦ ଖବର ଫୋନ ଯୋଗେ ଗ୍ରାମରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ମୃତ ବଳିଆ ଙ୍କ ବାପ ମା , ସ୍ତ୍ରୀ ଗୋଟିଏ ୪ ବର୍ଷ ର ପୁଅ ଓ ଏକ ବର୍ଷ ର ଝିଅ ଅଛନ୍ତି । ଘରର ଏକ ମାତ୍ର ରୋଜଗାରିଆ ପୁଅ ର ମୃତ୍ୟୁ ପରେ ପୁରା ପରିବାର ଦୁଃଖ ରେ ଭାଙ୍ଗି ପଡିଛି । ଏହି ବେସାହାରା ପରିବାରର କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି।ମାଣିକ୍ୟପୁର ଗ୍ରାମର ରାଜୁ ମଲ୍ଲିକ ଦୁବାଇ ରେ ଏକ କମ୍ପାନୀ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ।ପ୍ରାୟ ଏକ ସପ୍ତାହ ତଳେ ରାଜୁ କମ୍ପାନୀ ରୁ ଘରକୁ ଫେରୁଥିବା ବେଳେ ସଡକ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ କୋମା କୁ ଚାଲି ଯାଇଥିଲେ ।ସେଠାରେ ମେଡ଼ିକାଲ ରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ରାଜୁ ଙ୍କ ଆରୋଗ୍ୟ କାମନା କରି ତାଙ୍କ ପତ୍ନୀ ଗାଁ ମନ୍ଦିର ରେ ଘିଅ ଦୀପ ଜାଳି ଅଧିଆ ପଡ଼ିଥିଲେ ।ତେବେ ଗତ ସୋମବାର ଦିନ ସକାଳୁ ରାଜୁ ମଲ୍ଲିକ ଙ୍କ ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ହୋଇଥିଲା ।ତେବେ ତାଙ୍କର ମୃତଦେହ ଏ ପର୍ଯ୍ୟନ୍ତ ଗାଁ କୁ ଫେରି ପାରିନି ।ଖଲ୍ଲିକୋଟ ବ୍ଲକ ରେ ଦାଦନ ଶ୍ରମିକ ସମସ୍ୟା ଉତ୍କଟ ହେବାରେ ଲାଗିଛି ।ବ୍ଲକ ର ପ୍ରାୟ ୨୨ ହଜାର ରୁ ଉର୍ଦ୍ଧ୍ବ ଶ୍ରମିକ ରାଜ୍ୟ ବାହାରେ ଏବଂ ବିଦେଶରେ ଦାଦନ ଭାବେ କାମ କରୁଛନ୍ତି ।ଗତ କୋଭିଡ ସମୟରେ ୧୫ ହଜାର ରୁ ଉର୍ଦ୍ଧ୍ବ ଶ୍ରମିକ ଗାଁ କୁ ଫେରିଥିଲେ ।କିନ୍ତୁ ଏଠାରେ ସେମାନଙ୍କ ପାଇଁ କୌଣସି କାମଧନ୍ଦା ର ସୁଯୋଗ ନ ଥିବାରୁ କୋଭିଡ ପରେ ପୁଣି ଫେରି ଯାଇଥିଲେ ।ଗତ କିଛି ବର୍ଷ ହେଲା ରାଜ୍ୟ ବାହାରୁ ତଥା ଦେଶ ବାହାରୁ ଦାଦନ ଶ୍ରମିକଙ୍କ ନିର୍ଯ୍ୟାତନା ଓ ମୃତ୍ୟୁ ଖବର ଲଗାତାର ଭାବେ ଖଲ୍ଲିକୋଟ ବ୍ଲକ ରେ ପହଞ୍ଚିଛି ।