ଏସିଆ କପ୍ ପାଇଁ ଏହି ୧୭ ଜଣ ଖେଳାଳିଙ୍କ ଉପରେ ବାଜିପାରେ ମୋହର


ନୂଆଦିଲ୍ଲୀ: ଏସିଆ କପ୍ ଓ ବିଶ୍ଵକପ୍ ପରି ବିଶ୍ଵସ୍ତରୀୟ ଟୁର୍ଣ୍ଣାମେଣ୍ଟକୁ ଆଉ କେଇଟା ଦିନ ବାକି ରହିଛି। ମାତ୍ର ଏ ପର୍ଯ୍ୟନ୍ତ ବିସିସିଆଇ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରି ନାହିଁ। ଏହା ମଧ୍ୟରେ ବଡ଼ ଖବର ଆସିଛି ଯେ, ଆଗାମୀ ବିଶ୍ଵକପ ପାଇଁ ସମ୍ଭାବିତ ବିକଳ୍ପକୁ ପରଖିବା ପାଇଁ ଅଜିତ ଅଗରକରଙ୍କ ନେତୃତ୍ଵାଧୀନ ଚୟନ କମିଟି ଏସିଆ କପ୍ ପାଇଁ ୧୭ ଜଣିଆ ଦଳ ଘୋଷଣା କରି ପାରନ୍ତି। ଆନୁଷ୍ଠାନିକ ଭାବେ ଅଗଷ୍ଟ ୨୧ ତାରିଖରେ ଦଳ ଘୋଷଣା ହୋଇପାରେ। ଭାରତୀୟ ଦଳର ଅନେକ ଖେଳାଳି ଆହତ ସମସ୍ୟାରୁ ମୁକୁଳିବା ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି।

କେଏଲ ରାହୁଲଙ୍କ ରିପୋର୍ଟରେ ସେ ସଂପୂର୍ଣ୍ଣ ଫିଟ୍ ଥିବା କୁହାଯାଇଥିବା ବେଳେ ନମ୍ବର ୪ରେ ବ୍ୟାଟିଂ କରୁଥିବା ଶ୍ରେୟସ ଆୟର ଅଦ୍ୟାବଧି ସଂପୂର୍ଣ୍ଣ ଫିଟ୍ ହୋଇ ନାହାନ୍ତି। ପିଟିଆଇର ଖବର ଅନୁଯାୟୀ, ପ୍ରଥମ ଥର ଚୟନ କମିଟିର ପରମ୍ପରା ଭାଙ୍ଗିବାକୁ ଯାଉଛି। ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ମଧ୍ୟ ସୋମବାର ସକାଳେ ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ଉପସ୍ଥିତ ରହିବେ। ରାହୁଲଙ୍କ ପୂର୍ବରୁ ରବି ଶାସ୍ତ୍ରୀ ଓ ଅନିଲ କୁମ୍ବଲେଙ୍କ ପରି ବଡ଼ ଖେଳାଳି ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରହି ସାରିଛନ୍ତି। କିନ୍ତୁ ସେମାନେ କେବେ ବି ଚୟନ କମିଟି ବୈଠକରେ ଯୋଗ ଦେଇ ନ ଥିଲେ। ଅଷ୍ଟ୍ରେଲିଆରେ କୋଚ୍ ଚୟନ କମିଟିର ସଦସ୍ୟ ହୋଇଥାନ୍ତି। ମାତ୍ର ଭାରତରେ ଜାତୀୟ ଦଳର କୋଚ୍ ଏବଂ ଅଧିନାୟକଙ୍କୁ ଚୟନ ମାମଲାରେ ମତଦାନ କରିବାର ଅଧିକାର ନାହିଁ। ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ବୈଠକରେ ଶାରୀରିକ ଭାବେ ଯୋଗ ଦେବେ ନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେବେ।

ଏହି ବୈଠକରେ ବାମହାତୀ ବ୍ୟାଟର ତିଳକ ବର୍ମାଙ୍କ ନାଁ ଉପରେ ଆଲୋଚନା କରାଯିବ। ଯଦି ରାହୁଲ ଓ ଶ୍ରେୟସ ଆୟର ଫିଟ୍ ଥାଆନ୍ତି ତେବେ ଚୂଡାନ୍ତ ୧୫ ଜଣିଆ ଦଳରେ ତିଳକ ବର୍ମାଙ୍କୁ ସ୍ଥାନ ମିଳିବା ମୁସ୍କିଲ। ଏମିତି ସ୍ଥିତି ସଞ୍ଜୁ ସାମସନଙ୍କ ସହିତ ମଧ୍ୟ ରହିଛି। ଦଳରେ ଅତିରିକ୍ତ ବ୍ୟାଟର ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ପଲ୍ଲା ଭାରି ରହିଛି। ତେଣୁ ଦଳରେ ତାଙ୍କୁ ସ୍ଥାନ ମିଳିବାର ସମ୍ଭାବନା କ୍ଷୀଣ ରହିଛି।

ସ୍ପିନ ବିଭାଗରେ ରବିଚନ୍ଦ୍ରନ ଅଶ୍ଵିନଙ୍କ ନାମ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ସେ ବୋଲିଂରେ ବିବିଧତା ଯୋଗୁଁ ଅନ୍ୟ ବୋଲରଙ୍କ ଉପରେ ଭାରି ପଡ଼ନ୍ତି। ଜଣେ ପୂର୍ବତନ ଜାତୀୟ ଚୟନକର୍ତ୍ତା ଓ୍ଵେଷ୍ଟଇଣ୍ଡିଜରେ ସୀମିତ ଓଭର ସିରିଜରେ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ଦଳରେ ସାମିଲ ନ କରିବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ସେ କହିଥିଲେ, ଯଦି ଅକ୍ଷର ପଟେଲଙ୍କୁ ବ୍ୟାଟିଂ କ୍ରମରେ ନମ୍ବର ୪ରେ ସୁଯୋଗ ଦିଆଯାଉଛି, ତେବେ ଅଶ୍ଵିନଙ୍କୁ ପରଖିବାରେ ଅସୁବିଧା କେଉଁଠି। ଏହା ଭାରତୀୟ ଦଳ ପାଇଁ ଘାତକ ହୋଇପାରେ ବୋଲି ସେ କହିଛନ୍ତି।

ଏସିଆ କପ୍ ପାଇଁ ଭାରତର ସମ୍ଭାବିତ ୧୭ ଜଣିଆ ଦଳ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଲୋକେଶ ରାହୁଲ(ଓ୍ଵିକେଟ୍ କିପର, ଫିଟନେସ୍ ଉପରେ ନିର୍ଭର), ଶ୍ରେୟସ ଆୟର(ଫିଟନେସ୍ ଉପରେ ନିର୍ଭର), ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ରବୀନ୍ଦ୍ର ଜାଡ଼େଜା, ଯଶପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ, କୁଲଦୀପ ଯାଦବ, ଇଶାନ କିଷନ(ବିକଳ୍ପ ଓ୍ଵିକେଟ୍ କିପର), ଅକ୍ଷର ପଟେଲ୍, ଶାର୍ଦ୍ଦୁଳ ଠାକୁର, ସୂର‌୍ୟ୍ୟକୁମାର ଯାଦବ, ତିଳକ ବର୍ମା, ୟୁଜବେନ୍ଦ୍ର ଚହଲ କିମ୍ବା ରବିଚନ୍ଦ୍ରନ ଅଶ୍ଵିନ।