Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ବୃଦ୍ଧା

ଖଡ଼ିଆଳ: ରାସ୍ତା ସବୁ ଚକାଚକ୍ ହେବ, ଗମନାଗମନରେ କେହି ମଧ୍ୟ ଅସୁବିଧା ଭୋଗ କରିବେ ନାହିଁ, ଏମିତି କେତେ ପ୍ରତିଶ୍ରୁତି ଓ ଘୋଷଣା କରୁଛନ୍ତି ସରକାର । କିନ୍ତୁ ବାସ୍ତବ ଚିତ୍ର ଯେ ସମ୍ପୂର୍ଣ ଓଲଟା । କାଦୁଅ ପଚପଚ ରାସ୍ତାରେ ଖଟଟିଏ ଚାଲିଥିଲା । ଖଟ ବୋହି କଷ୍ଟେମଷ୍ଟେ ଚାଲୁଥିଲେ କିଛି ଲୋକ। ଖଟ ଭିତରେ ଶୋଇଥିଲେ ଜଣେ ବୃଦ୍ଧା । ଏହା କୌଣସି ଶୋଭାଯାତ୍ରାର ଦୃଶ୍ୟ ନଥିଲା ।ରାସ୍ତା ନଥିବାରୁ ଖଟରେ ଶୁଆଇ ଜଣେ ବୃଦ୍ଧା ମାଆଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା । ଘଟଣା ହେଉଛି ଖଡ଼ିଆଳ ବ୍ଲକ ସାନ ମହେଶ୍ୱର ଗ୍ରାମ ପଞ୍ଚାୟତ ଘରଧରା ଗ୍ରାମ ର ଢବା ପଡ଼ାର। ପଡ଼ାରେ ଦଶ ପରିବାରର ସତୁରୀରୁ ଅଧିକ ଲୋକ ଅଛନ୍ତି।ପଡ଼ା କୁ ଏପର୍ଯ୍ୟନ୍ତ ରାସ୍ତା ଖଣ୍ଡେ ନାହିଁ। ଆଣ୍ଠୁଏ ପଙ୍କରେ ଲୋକେ ଯିବାଆସିବା କରନ୍ତି। ଗତକାଲି ରାତ୍ରୀରେ ପଡ଼ାର ୮୫ ବର୍ଷ ବୟସ୍କା ଲକ୍ଷ୍ମୀ ରଣା ପରିସ୍ରା ପାଇଁ ବାହାରି ଥିବା ବେଳେ ପଡ଼ି ଯାଇଥିଲେ ଓ ତାଙ୍କର ଗୋଡ ଭାଙ୍ଗି ଯାଇଥିଲା। କୌଣସି ସୁବିଧା ନଥିବାରୁ ଓ ବର୍ଷା ହେଉଥିବାରୁ ରାତ୍ରୀରେ ଅଣା ଯାଇ ପାରିନଥିଲା। ଆଜି ସକାଳୁ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ପଡ଼ା ଭିତରକୁ ଯାଇ ପାରିନଥିଲା , ଏଣୁ ଖଟରେ ଶୁଆଇ ଘରଧରା ପର୍ଯ୍ୟନ୍ତ ଅଣା ଯାଇଥିଲା ଓ ସେଠାରୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାକେନ୍ଦ୍ରକୁ ନିଆ ଯାଇଥିଲା। ପୁଣି ଦୁଃଖର କଥା ଏଇୟା ଯେ ଆମ୍ବୁଲାନ୍ସ ମଧ୍ୟ ଡେରିରେ ଆସିବାରୁ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଲା। ରାସ୍ତା ସମସ୍ୟା ନେଇ ପଡ଼ାବାସୀ ଅନେକ ଥର ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧିଙ୍କୁ ଜଣାଇଛନ୍ତି କିନ୍ତୁ ପ୍ରତିଶ୍ରୁତି ଛଡ଼ା କିଛି ମିଳୁନାହିଁ। ଏନେଇ ଖଡ଼ିଆଳ ବିଡ଼ିଓ ବିରସେନ୍ ବେହେରାଙ୍କୁ ପଚାରିବାରୁ କାମ ଚାଲୁଥିଲା ଏବେ ବନ୍ଦ ରହିଛି ଅତିଶିଘ୍ର ରାସ୍ତା କାର୍ଯ୍ୟ ସରିଯିବ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ