Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାଭେଲିନ ଥ୍ରୋରେ ହେବ ଭାରତ-ପାକିସ୍ତାନ ମୁକାବିଲା, ନୀରଜଙ୍କ ସମେତ ୩ ଭାରତୀୟ ଫାଇନାଲରେ

ନୂଆଦିଲ୍ଲୀ: ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନଶିପ ୨୦୨୩ର ଜାଭେଲିନ ଥ୍ରୋ ଇଭେଣ୍ଟରେ ଭାରତୀୟ ଖେଳାଳି ଦମଦାର ପ୍ରଦର୍ଶନ କରିଛନ୍ତି। ନୀରଜ ଚୋପ୍ରାଙ୍କ ପରେ ଡିପି ମନୁ ଓ କିଶୋର ଜେନା ମଧ୍ୟ ଫାଇନାଲ୍ ମୁକାବିଲାରେ ପ୍ରବେଶ କରିଛନ୍ତି। ଡିପି ମନୁ ଓ କିଶୋର ଜେନା ଯଥାକ୍ରମେ ଷଷ୍ଠ ଓ ନବମ ସ୍ଥାନରେ ରହି ଫାଇନାଲରେ ସ୍ଥାନ ସୁନିଶ୍ଚିତ କରିଛନ୍ତି। ଡିପି ମନୁଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୮୧.୩୧ ମିଟର ରହିଥିବା ବେଳେ ଜେନା ୮୦.୫୫ ମିଟର ଯାଏ ଭାଲା ଫିଙ୍ଗି ପାରିଥିଲେ।

ପୁରୁଷ ଭାଲା ଫିଙ୍ଗା ପାଇଁ ୩୭ ଜଣଙ୍କ ମଧ୍ୟରୁ ୧୨ ଖେଳାଳି ଫାଇନାଲରେ ପ୍ରବେଶ କରିଛନ୍ତି। ନୀରଜ ଚୋପ୍ରାଙ୍କ ବ୍ୟତୀତ ପାକିସ୍ତାନର ଅରସଦ ନଦୀମ ଓ ଚେକ୍ ଗଣରାଜ୍ୟର ଜ୍ୟାକବ ଓ୍ଵାଡଲେଚ୍ ସ୍ଵତଃପ୍ରବୃତ ଭାବେ ଫାଇନାଲରେ ପହଞ୍ଚିଛନ୍ତି। ନଦୀମ ୮୬.୭୯ ମିଟରର ଚମତ୍କାର ଭାଲା ଫିଙ୍ଗା ଥିବା ବେଳେ ଓ୍ଵାଡଲେଚଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୮୩.୫୦ ମିଟର ଥିଲା। ଅଟୋମେଟିକ କ୍ଵାଲିଫାଇ ପାଇଁ କ୍ଵାଲିଫିକେସନ ମାର୍କ ୮୩ ମିଟର ଥିଲା।

ଏମିତିରେ ଡିପି ମନୁ ଓ କିଶୋର ଜେନାଙ୍କ ସମେତ ୯ ଖେଳାଳି ମଧ୍ୟ ଟପ୍-୧୨ରେ ଫିନିସ କରିବା ଯୋଗୁଁ ଫାଇନାଲରେ ପ୍ରବେଶ କରିଛନ୍ତି। ଏବେ ବିଶ୍ଵ ଚାମ୍ପିଅନସିପରେ ସ୍ଵର୍ଣ୍ଣ ପଦକ ପାଇଁ ୧୨ ଆଥଲେଟଙ୍କ ମଧ୍ୟରେ ଅଗଷ୍ଟ ୨୭ ତାରିଖ ରବିବାର ଲଢେଇ ଦେଖିବାକୁ ମିଳିବ। ଏହି ୧୨ ଖେଳାଳିଙ୍କ ମଧ୍ୟରୁ ତିନି ଜଣ ଭାରତୀୟ ଏବଂ ଜଣେ ପାକିସ୍ତାନ ଖେଳାଳି ଅଛନ୍ତି।

ନୀରଜ ଚୋପ୍ରାଙ୍କ ପ୍ରଦର୍ଶନ ଉପରେ ନଜର ପକାଇଲେ ସେ ପ୍ରଥମ ପ୍ରୟାସରେ ହିଁ ୮୮.୭୭ ମିଟର ଭାଲା ଫିଙ୍ଗି ଶୀର୍ଷରେ ରହିବା ସହ ଫାଇନାଲରେ ପ୍ରବେଶ କରିଛନ୍ତି। ଚଳିତ ସିଜିନରେ ନୀରଜ ଚୋପ୍ରାଙ୍କ ଏହା ଶ୍ରେଷ୍ଠ ପ୍ରଦର୍ଶନ। ଏହା ପୂର୍ବରୁ ବର୍ତ୍ତମାନ ସିଜିନରେ ତାଙ୍କ ପ୍ରଦର୍ଶନ ୮୮.୬୭ ମିଟର ରହିଥିଲା। ଏଥିସହ ନୀରଜ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସ ଜୁଲାଇ ୨୬ ତାରିଖରୁ ଅଗଷ୍ଟ ୧୧ ତାରିଖ ପର‌୍ୟ୍ୟନ୍ତ ଚାଲିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ