ଏନ୍.ସି.ସି ପକ୍ଷରୁ ଗୋପାଳପୁର ଠାରେ ପୁନିତ ସାଗର ଅଭିଯାନ ଆୟୋଜିତ ।


ଗୋପାଳପୁର,୦୯/୦୯ ଏନ୍.ସି.ସି. ଗ୍ରୁପ୍ ହେଡ୍ କ୍ବାଟର ବ୍ରହ୍ମପୁର ପକ୍ଷରୁ ଗୋପାଳପୁର ବେଳାଭୂମି ଠାରେ ‘ପୁନିତ ସାଗର ଅଭିଯାନ’ ପାଳିତ ହୋଇ ଯାଇଛି। ନୂଆ ଦିଲ୍ଲୀରେ ଦୁଇ ଦିନିଆ ଜି-20 ସମ୍ମିଳନୀ ଆରମ୍ଭ ହୋଇଥିବା ବେଳେ ଏହି ଅବସରରେ ସାରା ଦେଶରେ ମଧ୍ୟ ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମ ଜାରି ରହିଛି। ଏଥର ଜି-୨୦ ସମ୍ମିଳନୀର ଥିମ୍ ରହିଛି ‘ବସୁଧୈବ କୁଟୁମ୍ବକମ୍’ ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ବ ଗୋଟିଏ ପରିବାର । ତେବେ ଜଣେ ତୃଣମୂଳ ସ୍ତରରୁ ଯଦି ନିଜର ତଥା ଆଖପାଖ ଅଞ୍ଚଳର ଏବଂ ଅନ୍ୟର ବିକାଶରେ ଭାଗିଦାରୀ ହୋଇପାରିବ ତେବେ ଯାଇ ବିଶ୍ୱର ମଧ୍ଯ କଲ୍ୟାଣ ହୋଇପାରିବ । ଏହି ପରିପ୍ରେକ୍ଷୀରେ ସମୁଦ୍ର ବେଳାଭୂମି ତଥା ସମୁଦ୍ର ତଟକୁ ପରିଷ୍କାର ଓ ପରିଛନତା ଉପରେ ଗୁରୁତ୍ବ ଦିଆଯାଇ ଏହି ‘ପୁନିତ ସାଗର ଅଭିଯାନ’ ପାଳନ କରାଯାଇଛି । ଏନ୍.ସି.ସି. ଗ୍ରୁପ୍ ହେଡ୍ କ୍ବାଟର ବ୍ରହ୍ମପୁର ଅଧିନରେ ଥିବା ୧(ଓଡି଼ଶା) ନାଭାଲ୍ ୟୁନିଟ୍ ଏନ୍.ସି.ସି., ୧(ଓଡି଼ଶା) ସିଟିସି ଏନ୍.ସି.ସି, ୨(ଓଡି଼ଶା)ବାଟାଲିୟନ୍ ଏନ୍.ସି.ସି ଓ ୩(ଓଡି଼ଶା) ମେଡିକାଲ ଏନ୍.ସି.ସି ଅଫିସ ଅଧୀନରେ ଥିବା ବିଭିନ୍ନ ସ୍କୁଲ ଓ କଲେଜର ଏନ୍.ସି.ସି. କ୍ୟାଡେଟ୍ ମାନେ ଏଥିରେ ଭାଗ ନେଇଥିଲେ। ୨୦୦ରୁ ଅଧିକ ଆର୍ମି ଓ ନାଭାଲ ଏନ୍.ସି.ସି. କ୍ୟାଡେଟ୍ ଏହି ଅଭିଯାନରେ ଭାଗନେଇ ଗୋପାଳପୁର ବେଳାଭୂମି ପରିଷ୍କାର କରିବା ସହ ଅଳିଆ ଓ ଆବର୍ଜନା ସଫା କରିଥିଲେ । ଏଥିସହ ସ୍ଥାନୀୟ ବାସିନ୍ଦା, ଦୋକାନି ଓ ପର୍ଯ୍ୟଟକମାନଙ୍କୁ ବେଳାଭୂମିର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପରିଷ୍କାର ରଖିବା ସହ ଏହାର ସଚେତନତା ଉପରେ ଗୁରୁତ୍ବ ଦେଇଥିଲେ । ୧(ଓଡି଼ଶା) ନାଭାଲ୍ ୟୁନିଟ୍ ଏନ୍.ସି.ସି. ବ୍ରହ୍ମପୁର ତତ୍ତ୍ବାବଧନରେ ଆୟୋଜିତ ଏହି ‘ପୁନିତ ସାଗର ଅଭିଯାନ’ କାର୍ଯ୍ୟକ୍ରମରେ କମାଣ୍ଡିଂ ଅଫିସର କମାଣ୍ଡର ଡି.ଜେ. ସିଂ ଅଧ୍ୟକ୍ଷତା କରି ଏନ୍.ସି.ସି କ୍ୟାଡେଟ୍ ମାନଙ୍କୁ ଉଦବୋଧନ ଦେବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅଭିଯାନରେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ବ୍ରହ୍ମପୁର, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛତ୍ରପୁର, ଗଞ୍ଜାମ ମହାବିଦ୍ୟାଳୟ, ବ୍ରହ୍ମପୁର ସିଟି କଲେଜ, ଏସ୍.ଏମ୍.ଆଇ.ଟି କଲେଜ, ପାରଳା ମହାରାଜା ଇଂଜିନିୟରିଂ କଲେଜ, ପି ଏମ୍ ହାଇସ୍କୁଲ ଗୋପାଳପୁର, ଡୁରା ହାଇସ୍କୁଲ ଓ ଏମ୍.ଏ.ଭି ହାଇସ୍କୁଲ ବ୍ରହ୍ମପୁରର ଏନ୍.ସି.ସି. କ୍ୟାଡେଟ୍ ମାନଙ୍କ ଦ୍ଵାରା ୨୦ କେଜିରୁ ଅଧିକ ଅଳିଆ ଆବର୍ଜନା ସଂଗ୍ରହ କରାଯାଇଥିଲା। ଏହାସହ ସଚେତନତା ରାଲି ଓ ପଥପ୍ରାନ୍ତ ନାଟକ, ସଚେତନତା ସଭା ଓ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୧(ଓଡି଼ଶା) ନାଭାଲ୍ ୟୁନିଟ୍ ଏନ୍.ସି.ସି ଦ୍ବାରା ଆୟୋଯିତ ଏହି ‘ପୁନିତ ସାଗର ଅଭିଯାନ’ ସଫଳ କରିବା ପାଇଁ ସମସ୍ତ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀ, ବିଭିନ୍ନ ସ୍କୁଲ ଏବଂ କଲେଜର ଏ.ଏନ୍.ଓ. ଓ ସିଟିଓ, ଏନ୍.ସି.ସି.ର ପି.ଆଇ ଷ୍ଟାଫ ଏବଂ ସମସ୍ତ କର୍ମକର୍ତ୍ତା ଓ ସ୍ଥାନୀୟ ବାସିନ୍ଦା, ପର୍ଯ୍ୟଟକ ଓ ଉଠା ଦୋକାନୀମାନେ ମଧ୍ୟ ଏଥିରେ ସହଯୋଗ କରିଥିଲେ ।